Posted inଖେଳ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ ନିକଟରେ ବର୍ମିଂହାମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥର ପ୍ରତିଯୋଗିତାରୁ ଶୁଟିଂ ଇଭେଣ୍ଟ ବାଦ୍‌ ପଡ଼ିଥିଲେ ହେଁ ଦମ୍‌ ଦେଖାଇଛି ଭାରତ। ୨୨ ସ୍ବର୍ଣ୍ଣ ସହ ପଦକ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିଛି। ଟେବୁଲ ଟେନିସ୍‌ ତାରକା ଅଚନ୍ତ ଶରଥ କମଲ ଏକାକୀ ୩ ସ୍ବର୍ଣ୍ଣ ସହ ମୋଟ ୪ଟି ପଦକ ହାସଲ କରି ଭାରତର ସବୁଠାରୁ ସଫଳ ଖେଳାଳି ବିବେଚିତ ହୋଇଛନ୍ତି…

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳକୁଦ ପ୍ରତିଯୋଗିତା ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ବିଶ୍ୱସ୍ତରରେ ଯୁବ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଲାଗି ଏହା ଏକ ବଡ଼ ପ୍ଲାଟ୍‌ଫର୍ମ। ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୮ରୁ ଆରମ୍ଭ ହୋଇ ଏହା ଅଗଷ୍ଟ ୮ରେ ଉଦ୍‌ଯାପିତ ହୋଇଛି। ବର୍ମିଂହାମର ଆଲେକ୍‌ଜାଣ୍ଡର ଷ୍ଟାଡିୟମ ଏହାର ମୁଖ୍ୟ ଭେନ୍ୟୁ ରହିଥିବା ବେଳେ ୭୨ଟି ରାଜ୍ୟଗୋଷ୍ଠୀ ଦେଶରୁ ୫ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏହି ମେଗା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଇଂଲଣ୍ଡ ତୃତୀୟଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଆୟୋଜନ କରିଥିଲା। ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ ହେବ ବୋଲି ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ ସଭାପତି ଲୁଇସ୍‌ ମାର୍ଟିନ ଘୋଷଣା କରିଥିଲେ। ମାତ୍ର ଆର୍ଥତ୍କ ସମସ୍ୟା ଏବଂ କରୋନା ମହାମାରୀ ପାଇଁ ଶେଷ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକା ଓହରିଯିବା ପରେ ଇଂଲଣ୍ଡକୁ ଆୟୋଜନ ପାଇଁ ଅନୁମତି ମିଳିଥିଲା। ପ୍ରଥମଥର ଲାଗି ଏହି ପ୍ରତିଯୋଗିତାରେ ସର୍ବାଧିକ ୭୨ଟି ସଦସ୍ୟ ଦେଶ ଭାଗ ନେଇଥିବା ବେଳେ ମହିଳା ଇଭେଣ୍ଟ ସଂଖ୍ୟା ଅନ୍ୟ ସଂସ୍କରଣ ତୁଳନାରେ ଅଧିକ ରହିଥିଲା।
ପ୍ରତିଯୋଗିତାର ପୂର୍ବ ସଂସ୍କରଣ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ମୋଟ ୬୬ଟି (୨୬ ସ୍ବର୍ଣ୍ଣ , ୨୦ ରୌପ୍ୟ ଏବଂ ୨୦ ବ୍ରୋଞ୍ଜ) ପଦକ ହାସଲ କରିଥିଲା। ଫଳରେ ପଦକ ତାଲିକାର ୩ୟ ସ୍ଥାନରେ ରହିଥିଲା। ସେଠାରେ ଶୁଟିଂରେ ଭାରତର ସଫଳତା ବେଶ୍‌ ଉତ୍ସାହପ୍ରଦ ରହିଥିଲା। ୧୯୫୪ ଭାଙ୍କୋଭର ପ୍ରତିଯୋଗିତାଠାରୁ ୨୦୨୨ ବର୍ମିଂହାମ ପର୍ଯ୍ୟନ୍ତ ୧୬ଥର ଏହି ବିଶ୍ୱସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତ ଏଥର ମୋଟ ୬୧ଟି ପଦକ ସହ ତାଲିକାର ୪ର୍ଥ ସ୍ଥାନରେ ରହିଥିଲା। ଏହା ମଧ୍ୟରେ ୨୨ ସ୍ବର୍ଣ୍ଣ, ୧୬ ରୌପ୍ୟ ଏବଂ ୨୩ ବ୍ରୋଞ୍ଜ ପଦକ ସାମିଲ ଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଅଷ୍ଟ୍ରେଲିଆ ପଛକୁ ଭାରତ ଶୁଟିଂ ଇଭେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରି ୧୩୫ଟି ପଦକ ହାସଲ କରିଛି। ସେଥିମଧ୍ୟରେ ରହିଛି ୬୩ ସ୍ବର୍ଣ୍ଣ ପଦକ। ମାତ୍ର ବର୍ମିଂହାମ ଗେମ୍ସରେ ଶୁଟିଂ ଇଭେଣ୍ଟ ବାଦ୍‌ ପଡିଥିବାରୁ ଭାରତକୁ ନିରାଶ ହେବାକୁ ପଡ଼ିଛି।
ବର୍ମିଂହାମ୍‌ କ୍ରୀଡ଼ାରେ ଅଷ୍ଟ୍ରେଲିଆ ୬୭ ସ୍ବର୍ଣ୍ଣ, ୫୭ ରୌପ୍ୟ ଓ ୫୪ ବ୍ରୋଞ୍ଜ ସହ ମୋଟ ୧୭୮ଟି ପଦକ ପାଇ ଟେବୁଲ ଶୀର୍ଷରେ ରହିଥିଲା। ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ ୫୭ ସ୍ବର୍ଣ୍ଣ, ୬୬ ରୌପ୍ୟ ଓ ୫୩ ବ୍ରୋଞ୍ଜ ଏବଂ କାନାଡା ୨୬ ସ୍ବର୍ଣ୍ଣ, ୩୨ ରୌପ୍ୟ ଓ ୩୪ ବ୍ରୋଞ୍ଜ ପଦକ ସହ ୩ୟ ସ୍ଥାନରେ ରହିଥିଲା। ଶୁଟିଂ ବାଦ୍‌ ପଡ଼ିଥିବାରୁ ଭାରତୀୟ ପ୍ରତିଯୋଗୀମାନେ ବ୍ୟାଡ୍‌ମିଣ୍ଟନ, ରେସ୍‌ଲିଂ, ବକ୍ସିଂ ଏବଂ ଭାରୋତ୍ତୋଳନରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଥିଲା। ଏହି ଇଭେଣ୍ଟଗୁଡ଼ିକରେ ଆଶାନୁରୂପ ସଫଳତା ମଧ୍ୟ ମିଳିଥିଲା। ରବି କୁମାର ଦାହିଆ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ପି.ଭି. ସିନ୍ଧୁ, ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ କିଡ଼ାମ୍ବି ଶ୍ରୀକାନ୍ତ ଏବଂ ଲକ୍ଷ୍ୟ ସେନ୍‌ ପ୍ରମୁଖ ପ୍ରଭାବୀ ପ୍ରଦର୍ଶନ କରିଥିଲେ।
୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୋଟ ୧୦୧ ପଦକ ହାସଲ କରି ତାଲିକାରେ ୨ୟ ସ୍ଥାନ ଅଧିକାର କରିଥିଲା। ଭାରତ ହାସଲ କରିଥିବା ମୋଟ ୩୮ଟି ସ୍ବର୍ଣ୍ଣ ମଧ୍ୟରୁ ୧୪ଟି କେବଳ ଶୁଟିଂ ଇଭେଣ୍ଟରୁ ଆସିଥିଲା। ଏହା ଥିଲା ଭାରତର ସବୁଠାରୁ ଭଲ ପ୍ରଦର୍ଶନ। ପ୍ରଥମଥର ପାଇଁ ଭାରତ ୧୦୦ରୁ ଊର୍ଦ୍ଧ୍ୱ ମେଡାଲ ହାସଲ କରିଥିଲା। ବର୍ମିଂହାମରେ ଭାରତ ୱେଟ୍‌ଲିଫ୍ଟିଙ୍ଗ୍‌ରେ ୩, ରେସ୍‌ଲିଂରେ ୬, ବକ୍ସିଂରେ ୩, ଟେବୁଲ ଟେନିସ୍‌ରେ ୪, ବ୍ୟାଡ୍‌ମିଣ୍ଟନରେ ୩ ଏବଂ ପାରା ପାଓ୍ବାର ଲିଫ୍‌ଟିଙ୍ଗ୍‌, ଆଥ୍‌ଲେଟିକ୍ସ ଏବଂ ଲନ୍‌ ବୋଲ୍ସରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଟୋକିଓ ଅଲିମ୍ପିକ୍ସର ହିରୋ ନିରଜ ଚୋପ୍ରା ଜାଭେଲିନ୍‌ ଥ୍ରୋରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ନିଶ୍ଚିତ ମନେ ହେଉଥିବାବେଳେ ଆଘାତ ସମସ୍ୟା ଯୋଗୁ ଶେଷ ମୁହୂର୍ତ୍ତରେ ସେ ଓହରି ଯାଇଥିଲେ। ସ୍କ୍ବାଶ୍‌ ପ୍ରତିଯୋଗିତାରେ ୧୪ ବର୍ଷୀୟା ଅନହତ ସିଂଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଆଗକୁ ତାଙ୍କର ଭଲ ପ୍ରଦର୍ଶନ ନିଶ୍ଚୟ ଅବ୍ୟାହତ ରହିବ। ୧୦୬ ଭାରତୀୟ ପୁରୁଷ ଏବଂ ୧୦୪ ଜଣ ମହିଳା କ୍ରୀଡ଼ାବିତ୍‌ ଏହି ମେଗା ଇଭେଣ୍ଟର ୧୬ଟି ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ହକି ଖେଳାଳି ମନପ୍ରୀତ୍‌ ସିଂ ଏବଂ ଅଲିମ୍ପିଆନ୍‌ ପି.ଭି. ସିନ୍ଧୁ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ତ୍ରିରଙ୍ଗାଧାରୀ ହୋଇଥିଲେ। ୧୪ ବର୍ଷୀୟା ସ୍କ୍ବାଶ୍‌ ଖେଳାଳି ସର୍ବକନିଷ୍ଠ ଏବଂ ୪୫ ବର୍ଷୀୟ ଲନ୍‌ ବୋଲ୍ସ ଖେଳାଳି ସୁନୀଲ ବାହାଦୁର ବୟସ୍କ ଖେଳାଳି ରୂପେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୱେଟ୍‌ଲିଫ୍‌ଟିଙ୍ଗ୍‌ରେ ସଙ୍କେତ ସରଗର ଭାରତକୁ ପ୍ରଥମ ରୌପ୍ୟ ପଦକ ପ୍ରଦାନ କରିଥିବା ବେଳେ ମୀରାବାଇ ଚାନୁ ସ୍ବର୍ଣ୍ଣିମ ସଫଳତା ଦେଇଥିଲେ। ଲନ ବୋଲ୍ସ ପ୍ରତିଯୋଗିତାରେ ଭାରତ ତା’ର ପ୍ରଥମ ସ୍ବର୍ଣ୍ଣ ପଦକ ପାଇଥିଲା। ଟେବୁଲ ଟେନିସ୍‌ରେ ଅଚନ୍ତ ଶରଥ କମଲ (୩ ସ୍ବର୍ଣ୍ଣ ଏବଂ ୧ ରୌପ୍ୟ) ସର୍ବାଧିକ ପଦକ ପାଇଥିଲେ।
ସୁଧୀର, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଳିକ, ଦୀପକ ପୁନିଆ, ରବି କୁମାର ଦାହିଆ, ଭିନେଶ ଫୋଗତ, ପି.ଭି. ସିନ୍ଧୁ, ଲକ୍ଷ୍ୟ ସେନ୍‌, ଅମିତ୍‌ ପଙ୍ଗାଲଙ୍କ ପରି ବିଶ୍ୱସ୍ତରୀୟ ଆଥଲେଟ୍‌ଙ୍କ ପ୍ରଦର୍ଶନକୁ ଦେଖିଲେ ଆମ ଦେଶ ଯେ କ୍ରୀଡ଼ାକ୍ଷେତ୍ରରେ ଭବିଷ୍ୟତରେ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି, ଏଥିରେ ଦ୍ୱିମତ ନାହିଁ। ୨୦୨୬ରେ ଭିକ୍ଟୋରିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଆହୁରି ଭଲ ପ୍ରଦର୍ଶନ କରିବାର ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri