ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ ନୁହଁ: ଶଙ୍କର ଓରାମ

ରାଉରକେଲା ଅଫିସ,୭ା୧: ଷ୍ଟିଲସିଟି ରାଉରକେଲାରେ ଆଉ ୬ ଦିନ ପରେ ପୁରୁଷ ବିଶ୍ୱକପ୍‌ ହକି ମ୍ୟାଚ୍‌ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଉରକେଲା ଗସ୍ତରେ ଆସି ବିଶ୍ୱର ସର୍ବବୃହତ ବିର୍ସାମୁଣ୍ଡା ଷ୍ଟାଡିୟମକୁ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନର ୨୪ ଘଣ୍ଟା ନ ବିତୁଣୁ ଏହି ଷ୍ଟାଡିୟମ ବିଶ୍ୱସ୍ତରୀୟ ନୁହେଁ ବୋଲି ଭାଜପା ବିଧାୟକ ଶଙ୍କର ଓରାମ ଅଭିଯୋଗ କରିଛନ୍ତି। ଓରାମ କହିଛନ୍ତି, ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡିୟମ ପାକିସ୍ତାନର ଲାହୋରରେ ଥିବାବେଳେ ଦ୍ୱିତୀୟ ବୃହତ୍‌ ଷ୍ଟାଡିୟମ ଆମ ଦେଶ ପଞ୍ଜାବର ଚଣ୍ଡିଗଡରେ ରହିଛି। ରାଉରକେଲା ଷ୍ଟାଡିୟମରେ ୨୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା ଥିବା ବେଳେ ଚଣ୍ଡିଗଡ ଷ୍ଟାଡିୟମରେ ୩୦ ହଜାର ଦର୍ଶକ ଏକ ସାଙ୍ଗରେ ବସି ଦେଖିବାର କ୍ଷମତା ରହିଛି। ତେବେ ରାଜ୍ୟ ସରକାର କେମିତି ଏହାକୁ ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମ ବୋଲି ଦାବି କରୁଥିବା ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ଡିଏମଏଫ ପଣ୍ଡରୁ ସମସ୍ତ ଅର୍ଥ ଖର୍ଚ୍ଚ କରାଯାଇ ରାଉରକେଲା ଷ୍ଟାଡିୟମ ନିର୍ମାଣ ହୋଇଥିବାବେଳେ ଆଜିଯାଏଁ ଏଠାରେ କୌଣସି ସୂଚନା ଫଳକ ଲାଗିଲା ନାହିଁ। ମାଗଣାରେ ରାଜ୍ୟ ସରକାର ବିର୍ସାମୁଣ୍ଡା ଷ୍ଟାଡିୟମ ନିର୍ମାଣର ପ୍ରକୃତ ସତ୍ୟାସତ୍ୟ ତଥ୍ୟକୁ ଲୁଚାଇ ଖାଲି ନିଜର ପ୍ରଚାର କରୁଥିବା ଓରାମ କହିଛନ୍ତି। ଏ ନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ରାଉରକେଲାରେ ନିର୍ମିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଏଫ୍‌ଆଇଏଚ୍‌ ନିର୍ଦ୍ଦେଶ ଓ ନିୟମାବଳୀ ଅନୁଯାୟୀ ନିର୍ମାଣ କରାଯାଇଛି। ଏହି ଷ୍ଟାଡିୟମରେ ହକି ଖେଳ ପାଇଁ ବିଶ୍ୱସ୍ତରୀୟ ଯେଉଁସବୁ ଗାଇଡଲାଇନ ରହିଛି ତାହାର ପ୍ରମାଣପତ୍ର ଏଫ୍‌ଆଇଏଚ୍‌ ପ୍ରଦାନ କରିସାରିଛି।

Share