Advertisement

‘ଭାରତକୁ ସ୍ବାଧୀନତା ଆଣିବାରେ ବିର୍ସା ମୁଣ୍ଡାଙ୍କ ଅବଦାନ ଅତୁଳନୀୟ’

ଦାରିଙ୍ଗବାଡ଼ି,୧୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ବଡ଼ ଧୂମ୍‌ଧାମରେ ପାଳନ କରାଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ଯୋଗଦେଇ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସମ୍ପର୍କରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଜଣାଇଥିଲେ। ଭାରତକୁ ସ୍ବାଧୀନତା ଆଣିବାରେ ଆଦିବାସୀ ସମ୍ପ୍ରଦାୟର ବିର୍ସା ମୁଣ୍ଡାଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ କହିଛନ୍ତି। ଏହି ଜୟନ୍ତୀ ଦିବସକୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇଛି। ଏଥିସହ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକ ଓ ଛାତ୍ରୀଛାତ୍ରଙ୍କୁ ନେଇ ଆମେ ଜାଣିବା ଓ ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରୀଛାତ୍ରଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କୁ ଅବଗତ କରାଯାଇଥିଲା। ସେମାନଙ୍କୁ ବାଲ୍ୟ ବିବାହଠାରୁ ଦୂରରେ ରଖିବା ସହ ଶିଶୁଶ୍ରମିକଠାରୁ ମଧ୍ୟ ଦୂରରେ ରଖାଯିବାକୁ ଅତିଥିମାନେ ଜଣାଇଥିଲେ। ଭଲ ପାଠ ପଢ଼ିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯିବା ସହ ସରକାର ଦେଉଥିବା ସମସ୍ତ ସୁବିଧାକୁ ଛାତ୍ରୀଛାତ୍ର କିଭଳି ଫାଇଦା ନେଇପାରିବେ ଓ ଭବିଷ୍ୟତ ଗଠନ କରିବା ସହ ନିଜ ସ୍ବପ୍ନ ପୂରଣ କରି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ଅତିଥିମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସୋନାଲିକା ପୃଷ୍ଟି, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଆଶାଲତା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରୀଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଆଦି ପରିବେଷଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share