ବଢୁଛି ଯାଆଁଳାଙ୍କ ଜନ୍ମ

ଲଣ୍ଡନ, ୧୭।୩: ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ଯାଆଁଳା ଶିଶୁଙ୍କ ସଂଖ୍ୟା। ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ ଓ ଅନ୍ୟାନ୍ୟ କୃତ୍ରିମ ପ୍ରଜନନ କୌଶଳ ଦ୍ୱାରା ଅଧିକ ସଂଖ୍ୟାରେ ଯମଜ ଶିଶୁଙ୍କ ପ୍ରସବ ହେଉଥିବା ବିଶ୍ୱସ୍ତରୀୟ ଏକ ଅଧ୍ୟୟନ ତଥ୍ୟ କହୁଛି। ରିପୋର୍ଟ ମୁତାବକ, ପ୍ରତି ବର୍ଷ ୧୬ ଲକ୍ଷ ଯାଆଁଳା ଶିଶୁଙ୍କ ଜନ୍ମ ହେଉଛି, ଯାହାକି ୧୯୮୦ ଦଶକ ପରଠାରୁ ଏକ ତୃତୀୟାଂଶ ଅଧିକ। ୩୦ ବର୍ଷ ପୂର୍ବେ ପ୍ରତି ହଜାରେ ଶିଶୁଙ୍କ ମଧ୍ୟରେ ୯ ଜଣ ଏଭଳି ଶିଶୁ ଜନ୍ମ ନେଉଥିଲାବେଳେ ଏବେ ତାହା ୧୨କୁ ବୃଦ୍ଧି ପାଇଛି। ଅଧ୍ୟୟନର ନେତୃତ୍ୱ ନେଇଥିବା ବ୍ରିଟେନସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ଖ୍ରିଷ୍ଟିୟାନ ମାଣ୍ଡେନ୍‌ ଏହି ସଂଖ୍ୟାକୁ ସର୍ବାଧିକ ବୋଲି କହିଛନ୍ତି। ବିଶେଷକରି ଧନୀ ଦେଶ ତଥା ୟୁରୋପ, ଉତ୍ତର ଆମେରିକା ଆଦିରେ ଯାଆଁଳ ଶିଶୁଙ୍କ ଜନ୍ମ ହାର ଅନ୍ୟ ଦେଶ ତୁଳନାରେ ଅଧିକ ରହିଛି।
ହ୍ୟୁମାନ ରିପ୍ରଡକ୍ସନ୍‌ ଜର୍ନାଲରେ ଶୁକ୍ରବାର ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶିତ ହୋଇଛି। ଅଧ୍ୟୟନରେ ୨୦୧୦ରୁ ୨୦୧୫ ମଧ୍ୟରେ ୧୬୫ ଦେଶ ଏବଂ ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ୧୧୨ ଦେଶରେ ଯାଅଁାଳାଙ୍କ ଜନ୍ମ ତଥ୍ୟ ଆକଳନ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ, ଉତ୍ତର ଆମେରିକାରେ ଯମଜ ସନ୍ତାନଙ୍କ ସଂଖ୍ୟା ୭୧ ପ୍ରତିଶତ ବୃଦ୍ଧିପାଇଛି। ୟୁରୋପ ଏବଂ ଏସିଆ ମହାଦେଶର ବିଭିନ୍ନ ଦେଶରେ ମଧ୍ୟ ଏହି ସଂଖ୍ୟା ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏସିଆରେ ଏହି ସଂଖ୍ୟା ୩୨ ପ୍ରତିଶତ ଅଧିକ ରହିଛି। କେବଳ ୭ ଦେଶରେ ଯମଜ ସନ୍ତାନଙ୍କ ଜନ୍ମ ହାର ପୂର୍ବାପେକ୍ଷା ୧୦ ପ୍ରତିଶତରୁ ଅଧିକ କମିଥିବା ଜଣାପଡ଼ିଛି।
ଜାପାନରେ ଆଇଡେଣ୍ଟିକାଲ ଟୁଇନ୍ସ ବା ସମାନ ଦେଖାଯାଉଥିବା ଯାଆଁଳା ଶିଶୁଙ୍କ ସଂଖ୍ୟା ଅଧିକ ରହିଥିବାବେଳେ ଆଫିକ୍ରାରେ ନନ୍‌ ଆଇଡେଣ୍ଟିକାଲ ବା ଭିନ୍ନ ଦିଶୁଥିବା ଯାଆଁଳାଙ୍କ ସଂଖ୍ୟା ବେଶି। ଜିନ୍‌ଗତ କାରଣରୁ ଏପରି ହୋଇଥିବା ମାଣ୍ଡେନ କହିଛନ୍ତି। ବିଶେଷକରି ବିଳମ୍ବରେ ମହିଳାଙ୍କ ଗର୍ଭଧାରଣ ଇଚ୍ଛା, ଗର୍ଭନିରୋଧକର ଅଧିକ ବ୍ୟବହାର, ଦୁର୍ବଳ ପ୍ରଜନନ କ୍ଷମତା ଆଦି ପ୍ରମୁଖ କାରଣରୁ ସହାୟକ ପ୍ରଜନନ କୌଶଳର ଆବଶ୍ୟକତା ପଡ଼ୁଛି। ଏଥିଯୋଗୁ ୧୯୭୦ ଦଶକରୁ ଆରମ୍ଭ ହୋଇଥିବା କୃତ୍ରିମ ପ୍ରସବ ପଦ୍ଧତିର ବ୍ୟବହାର ବଢ଼ିଥିବାରୁ ଯାଆଁଳା ଶିଶୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ବୋଲି ମାଣ୍ଡେନ ପ୍ରକାଶ କରିଛନ୍ତି।

ଆଇଭିଏଫ୍‌ କ’ଣ
ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ୍‌ (ଆଇଭିଏଫ୍‌) ହେଉଛି ଏକ କୃତ୍ରିମ ପ୍ରକ୍ରିୟା, ଯାହାଦ୍ୱାରା ଫର୍ଟିଲିଟି (ପ୍ରଜନନ କ୍ଷମତା) କିମ୍ବା ଶିଶୁଙ୍କ ଜିନ୍‌ଗତ ସମସ୍ୟାକୁ ରୋକିବା ସହ ଗର୍ଭଧାରଣରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହୁଏ। ଏହି ପ୍ରକ୍ରିୟାରେ ମହିଳାଙ୍କ ଓଭାରିରୁ ପରିପକ୍ୱ ଡିମ୍ବାଣୁ ସଂଗ୍ରହ କରାଯାଇଥାଏ। ପୁରୁଷଙ୍କଠାରୁ ନିଆଯାଇଥିବା ଶୁକ୍ରାଣୁ ସହ ଲାବରେଟୋରୀରେ ଡିମ୍ବାଣୁକୁ ଫର୍ଟିଲାଇଜ କରାଯାଏ। ଏହା ପରେ ଭ୍ରୂଣକୁ ଗର୍ଭାଶୟକୁ ସ୍ଥାନାନ୍ତର କରାଯାଏ। ଆଇଭିଏଫ୍‌ର ଗୋଟିଏ ଚକ୍ର (ସାଇକେଲ) ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ତିନି ସପ୍ତାହ ଲାଗିଥାଏ। ବେଳେବେଳେ ଏହି ପ୍ରକ୍ରିୟାଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଉଥିବାରୁ ସେହି ଅନୁସାରେ ଅଧିକ ସମୟ ମଧ୍ୟ ଲାଗିପାରେ। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଶୁକ୍ରାଣୁ ସହାୟତାରେ ଆଇଭିଏଫ୍‌ ମାଧ୍ୟମରେ ସୃଷ୍ଟ ଭ୍ରୂଣକୁ ଗର୍ଭାଶୟରେ ସ୍ଥାପନ ପରେ ପ୍ରସବ କରିପାରିବେ। ଏହାଛଡ଼ା ମା’ ହେବାକୁ ଚାହୁଁଥିବା ମହିଳା ତାଙ୍କ ଚିହ୍ନା ପରିଚିତ ପୁରୁଷ ବନ୍ଧୁଙ୍କ ଶୁକ୍ରାଣୁ ସହାୟତାରେ ମଧ୍ୟ ଗର୍ଭଧାରଣ କରିପାରିବେ।

Share