ବିସ୍କୁଟ ବିଜ୍ଞାପନକୁ ନେଇ ପାକିସ୍ତାନରେ ବିବାଦ, ଜାଣନ୍ତୁ କାହିଁକି

ଇସଲାମାବାଦ,୧୦ା୧୦: ଏକ ବିସ୍କୁଟର ବିଜ୍ଞାପନକୁ ନେଇ ପାକିସ୍ତାନରେ ଅନେକ ବିବାଦ ଦେଖାଦେଇଛି। ବିଜ୍ଞାପନରେ ମଡେଲଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ଘୋର ବିରୋଧ କରାଯାଇଛି। ଏପରିକି ଗୋଟିଏ ଦଳ ଏହାକୁ ବିରୋଧ କରୁଥିବା ବେଳେ ଇମ୍ରାନ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। କିଛି ଲୋକ ଏହି ବିଜ୍ଞାପନକୁ ସମର୍ଥନ ମଧ୍ୟ ଜଣାଇଛନ୍ତି।


ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ବିସ୍କୁଟର ବିଜ୍ଞାପନକୁ ବିରୋଧ କରି ତୁରନ୍ତ ଏହାକୁ ବନ୍ଦ ପାଇଁ ଦାବି କରିଥିଲେ। ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ଏହି ବିଜ୍ଞାପନ ପ୍ରଦର୍ଶିତ ହେଉଥିଲା।

ଏହି ବିଜ୍ଞାପନରେ ପାକିସ୍ତାନୀ ଅଭିନେତ୍ରୀ ମହାବିଶ ହୟାତ ପାକିସ୍ତାନର ପାରମ୍ପାରିକ ପୋଷାକରେ ନାଚୁଥିବାର ନଜର ଆସିଛନ୍ତି। ଭିଡିଓରେ ସେହି ବିସ୍କୁଟକୁ ଦେଶର ବିସ୍କୁଟ ଭାବରେ ବର୍ଣ୍ଣନା କରାଯାଇଛି।


ବିଜ୍ଞାପନରେ ଅନ୍ୟ କଳାକାରମାନେ ମଧ୍ୟ ଅଭିନେତ୍ରୀଙ୍କ ସହିତ ନାଚଗୀତ ଏବଂ ହସୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ବିଜ୍ଞାପନ ଉପରେ ନାନା ତର୍କବିତର୍କ ଚାଲିଛି। ବିଜ୍ଞାପନକୁ ସମର୍ଥନ କରୁଥିବା ଜଣେ ମହିଳା ଲେଖିଛନ୍ତି, ଏହି ସମାଜ ମହିଳାମାନଙ୍କୁ ହସିବା, ଗାଇବା ଏବଂ ନାଚିବାକୁ ଘୃଣା କରେ। ଏହି ସମାଜ କେବଳ ଦୁଷ୍ଟ, ଆତଙ୍କବାଦୀ ଏବଂ କାନ୍ଦୁଥିବା ମହିଳାଙ୍କୁ ପସନ୍ଦ କରେ।

Share