ବିଷ୍ଣୁପଦ ସେଠୀଙ୍କୁ ଏସ୍‌ଏସ୍‌ପିଡି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର):ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଶନିବାର ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସ୍‌ଡି ଥିବା ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ଯୋଜନା ଏବଂ ସଂଯୋଜନା ବିଭାଗର ସ୍ବତନ୍ତ୍ର ସଚିବ ଥିବା ୧୯୯୯ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡସ ଓ ସେଟେଲମେଣ୍ଟ କମିଶନର ଭାବେ ନୂଆ ଦାୟିତ୍ୱ ପାଇଛନ୍ତି। ଏହି ପଦରେ କାର୍ଯ୍ୟ କରିବା ବେଳେ ସେ ସ୍ବତନ୍ତ୍ର ସଚିବ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ପାଇବେ। ସେହିପରି ପଞ୍ଚାୟତିରାଜ ବିଭାଗ ଅଧୀନ ପାନୀୟ ଜଳ ଏବଂ ସ୍ବଚ୍ଛତା ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଥିବା ୨୦୦୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ବି. ପରମେଶ୍ୱରନ୍‌ ଭୁବନେଶ୍ୱର କନସୋଲିଡେଶନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଅତିରିକ୍ତ ଶାସନ ସଚିବ ପାହ୍ୟା ଅଧିକାରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ତାଙ୍କୁ ଦିଆଯିବ। ଆନିମଲ ହଜ୍‌ବ୍ୟାଣ୍ଡ୍ରି ଏବଂ ଭେଟେରିନାରି ସର୍ଭିସ୍‌ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିବା ୨୦୧୦ ମସିହାର ଆଇଏଏସ୍‌ ରାମାଶିଷ ହାଜରା ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନର ଓଡ଼ିଶା ସଭାପତି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ୨୦୧୦ ବ୍ୟାଚ୍‌ ଆଇଏଏସ୍‌ ଜ୍ୟୋତି ପ୍ରକାଶ ଦାସ ଆର୍‌ଓଟିଆଇ(ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌) ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ସହିତ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ପେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ଥିବା ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅରବିନ୍ଦ ଡାକୁଆ ଉକ୍ତ ବିଭାଗର ପାନୀୟ ଜଳ ଏବଂ ସ୍ବଚ୍ଛତା ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପାଇଛନ୍ତି। ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଏସ୍‌ଟି ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସେହିପରି ବୋର୍ଡ ଅଫ୍‌ ରେଭିନ୍ୟୁର ଫାଇନାନ୍ସିଆଲ ଆଡଭାଇଜର ଥିବା ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ସୁବ୍ରତ ଶତପଥୀଙ୍କୁ ଇନ୍‌ପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟ୍ରେଶନ (ଆଇଜିଆର୍‌) ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

Share