ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀ ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଶନିବାର ଓଡ଼ିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ ସହ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶାର ବରପୁତ୍ର ମାନଙ୍କ ସ୍ମୃତିଚାରଣ କରାଯାଇଥିଲା । କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଯୁଧିଷ୍ଠିର ସ୍ବାଇଁ, ମୁଖ୍ୟବକ୍ତା ରୂପେ ଖଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ କଲେଜର ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ରୂପେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଜେନାମଣି ସାହୁ ଏବଂ ଓଡ଼ିଆ ଅଧ୍ୟାପକ ମନ୍ମୟ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଓଡ଼ିଆ ଜାତିର ଅସ୍ମିତାକୁ ଅକ୍ଷୁର୍ଣ୍ଣ ରଖିବା ପ୍ରତିଟି ଓଡ଼ିଆଙ୍କ ମୌଳିକ କର୍ତ୍ତବ୍ୟ ବୋଲି ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରଦର୍ଶିତ କରାଯାଇଥିଲା । ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ୟ ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଦେବଦତ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀଙ୍କ ସମେତ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।