ଦିଗପହଣ୍ଡି,୩।୧(ଅଶେଷ ନାଥ ମିଶ୍ର):ଗଞ୍ଜା ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେଦାରପୁର ଗ୍ରାମ ଶ୍ରୀ ନୀଳକଣ୍ଠେଶର ଶୈବପୀଠରେ ମାଘ ଶୁକ୍ଳ ଷଷ୍ଠୀ ସୋମବାର ଠାରୁ ବିଶଶାନ୍ତି ରାମ ତାରକ ମହାଯଜ୍ଞ ଶୁଭାରମ୍ଭ ହୋଇଛି। ଶୁକ୍ରବାର ଏହି ମହାଯଜ୍ଞର ପୂର୍ଣ୍ଣାହୁତି କରାଯିବ। ସୋମବାର ସକାଳେ ମୌଳାଭଞ୍ଜା ଘୋଡ଼ାହାଡ଼ ନଦୀ ପଠାରେ ପ୍ରଚଳିତ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଦୀକ୍ଷାଗ୍ରହଣ କାୟାଶୁଦ୍ଧି ପରେ କଳସ ଯାତ୍ରା ରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ଥିଲେ। କଳସ ଯାତ୍ରା ମହାଯଜ୍ଞ ସ୍ଥଳରେ ପହଞ୍ଚିବା ପରେ ସାଲା ସଂସ୍କାର ଅଙ୍କୁରା ରୋପଣ ଏବଂ ନାମଯଜ୍ଞ ଶୁଭାରମ୍ଭ ହୋଇଥିଲା। ମହାଯଜ୍ଞ ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବହୁ ସଂଖ୍ୟକ ଗ୍ରାମବାସୀ ଗାଁ ରେ ପହଞ୍ଚିଛନ୍ତି। ଦିଗପହଣ୍ଡିର ସାମାଜିକ କର୍ମୀ ପ୍ରମୋଦ କୁମାର ପାଣିଗ୍ରାହୀ ସସ୍ତ୍ରିକ ମହାଯଜ୍ଞରେ କର୍ତ୍ତା କାର୍ଯ୍ୟ ତୁଲାଉଛନ୍ତି। ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟକ ବିଜ୍ଞ କର୍ମକାଣ୍ଡବିତ୍ ବୈଦିକ ବ୍ରାହ୍ମଣ ମହାଯଜ୍ଞ କାର୍ଯ୍ୟ ପରିଚାଳନା କରୁଥିବା ଜଣାପଡିଛି।