ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ତଳେ ଦିଲ୍ଲୀରୁ ଫେରିଥିବା ବିଶ୍ୱଭୂଷଣ ଥଣ୍ଡା ଏବଂ କାଶରେ ପୀଡ଼ିତ ହୋଇ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ବୁଧବାର ବିଜୟୱାଡ଼ାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ତାଙ୍କୁ ଗଞ୍ଚତ୍ବୋଉଲିର ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କରୋନାରେ ପୀଡ଼ିତ ଥିବା ଜଣାପଡ଼ିଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। ପରିବାର ସଦସ୍ୟ ଡାକ୍ତରଖାନାରେ ତାଙ୍କ ସହ ଥିବା ସୂଚନା ମିଳିଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି।
ବିଶ୍ୱଭୂଷଣଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ, ଓଡ଼ିଶାର ବରିଷ୍ଠ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନ ୨୦୧୯ ଜୁଲାଇ ୨୪ତାରିଖରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।