ଏସିଆ ବୁକ୍‌ ଅଫ୍‌ ରେକର୍ଡ୍‌ସରେ ବିଶ୍ୱଜିତ

ପୁରୀ ଅଫିସ,୨୧ା୧୦:ଆଇସ୍‌କ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ତିଆରି କରି ନିଜ ନଁା ଏସିଆ ବୁକ୍‌ ଅଫ୍‌ ରେକର୍ଡ୍‌ସରେ ସ୍ଥାନିତ କରିଛନ୍ତି ପୁରୀର ଯୁବ ଶିଳ୍ପୀ ବିଶ୍ୱଜିତ୍‌ ନାୟକ। ୧୯ ବର୍ଷ ବୟସରେ ନିଜର ନିଆରା କୃତି ପାଇଁ ସେ ଏହି ସଫଳତା ସାଉଣ୍ଟିଛନ୍ତି। ପୁରୀ କୁମୁଟିପାଟଣାର ବିଶ୍ୱଜିତଙ୍କ ପାଖକୁ ବୁଧବାର ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପକ୍ଷରୁ ମାନପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଆସିଛି। ଆଇସ୍‌କ୍ରିମ୍‌ କାଠିରେ ନିଖୁଣ ଭାବେ ସେ କୁନିରଥ ତିଆରି କରି ପ୍ରଥମେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍‌ସରେ ନିଜ ନାଁ ସାମିଲ କରିଥିଲେ। ଆଗକୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍‌ସର ଅଧିକାରୀ ହେବାକୁ ସେ ଚେଷ୍ଟା ଜାରି ରଖିଥିବା ବିଶ୍ୱଜିତ କହିଛନ୍ତି।
ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ଗତ ଜୁନ୍‌ ମାସରେ ୨,୫୭୫ଟି ଆଇସ୍‌କ୍ରିମ୍‌ କାଠିରେ ୨୭ ଇଞ୍ଚ ଉଚ୍ଚତା ଓ ୨୨ ଇଞ୍ଚ ଚଉଡ଼ା ବିଶିଷ୍ଟ କୁନିରଥ ତିଆରି କରିଥିଲେ। ଏହାକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ୧୦ ଦିନ ଲାଗିଥିଲା। ଏହାପରେ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍‌ସ ଏବଂ ଏସିଆ ବୁକ୍‌ ଅଫ୍‌ ରେକର୍ଡ୍‌ସକୁ ଅବଗତ କରାଇ ଆବଶ୍ୟକ ତଥ୍ୟ ପ୍ରମାଣ ପଠାଇଥିଲେ। ଏବେ ତାଙ୍କୁ ଏହି ସଫଳତା ମିଳିଛି।