ମୁମ୍ବାଇ,୧୫।୯: ନାଗ ସାପ କାମୁଡ଼ିବା ପରେ ୨ ଘଣ୍ଟା ଧରି ବେକରେ ଗୁଡ଼ାଇ ହୋଇ ରହିଥିଲା। ହେଲେ ବଞ୍ଚିଯାଇଛି ୬ ବର୍ଷୀୟା କୁନି ଝିଅର ଜୀବନ। ଏଭଳି ଅବିଶ୍ୱସନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଓ୍ବାର୍ଧା ଜିଲାରେ। ଘଟଣାର ୪ ଦିନ ପରେ କୁନି ଝିଅ ବିପଦ ମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆ ଓ ମେସେଜିଂ ପ୍ଲାଟଫର୍ମରେ ଘୁରି ବୁଲୁଛି। ଭିଡିଓରେ ଦେଖିବାକୁ ମିଳୁଛି, ପୂର୍ବା ଗଡକରୀଙ୍କ ବେକରେ ସାପ ଗୁଡ଼ାଇ ହୋଇ ରହିଛି। ପୂର୍ବାଙ୍କ ବେକ ପଛ ପଟେ ନାଗ ଫଣା ଟେକି ରହିଥିଲା। ଏଣୁ ଭୟରେ ସେ ଘରର ଖଟ ଉପରେ ପଡ଼ି ରହିଥିଲେ। ସାପ ଧରାଳି ନ ଆସିବା ପର୍ଯ୍ୟନ୍ତ ଚୁପଚାପ ଶୋଇ ରହିବାକୁ ପରିବାର ଲୋକେ କହିଥିଲେ। ପରିବାରବର୍ଗଙ୍କ କଥା ଶୁଣି ୬ ବର୍ଷୀୟା ଝିଅଙ୍କୁ ୨ ଘଣ୍ଟା ଧରି ସମାନ ପୋଜିଶନରେ ରହିବାକୁ ପଡ଼ିଥିଲା। ଶେଷ ଆଡ଼କୁ ସାପ ନିଜ ଆଡ଼ୁ ଝିଅର ବେକ ଛାଡ଼ି ଦେଇଥିଲା। ତା’ ପରେ ତାଙ୍କ ହାତକୁ କାମୁଡ଼ି ଦେଇଥିଲା ସାପ। ପୀଡ଼ିତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଏବେ ବିପଦ ମୁକ୍ତ ଥିବା ଜଣାପଡ଼ିଛି।