Categories: ଜାତୀୟ

ରାଜଧାନୀରେ ହାଡ଼ଭଙ୍ଗା ଶୀତ ନେଲାଣିି ୧୦୬ ଜୀବନ !…

ନୂଆଦିଲ୍ଲୀ, ୨୩।୧ : ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତଯୋଗୁ ଚଳିତବର୍ଷ ଜାନୁୟାରୀରେ ଇତିମଧ୍ୟରେ ୧୦୬ ଜଣଙ୍କର ଜୀବନ ଗଲାଣି। ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ ଡେଭଲପମେଣ୍ଟ (ସିଏଚଡି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏନଜିଓ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖି ଶୀତଦିନର ପ୍ରବଳ ଥଣ୍ଡାରୁ ଲୋକଙ୍କୁ ସୁରକ୍ଷିତ ରଖିବାପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।

ଯଦିଓ ଦିଲ୍ଲୀ ସହରୀ ଆଶ୍ରୟସ୍ଥଳ ସୁଧାର ବୋର୍ଡ (ଡିୟୁଏସଆଇବି)ର ଅଧିକାରୀମାନେ ଶୀତ ଯୋଗୁ ଏସବୁ ଲୋକଙ୍କ ମୃତ୍ୟୁ ଘଟିଥିବା ଅସ୍ବୀକାର କରିଛନ୍ତି। ତେବେ ଶୀତଦିନେ ଚିକିତ୍ସା ସମସ୍ୟା ଯୋଗୁ ବାସହୀନଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ସମ୍ପର୍କରେ ଦିଲ୍ଲୀ ପୋଲିସ ଅଧିକାରୀମାନେ ସ୍ବୀକାର କରିଛନ୍ତି।

ଏନଜିଓ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧ ରୁ ଜାନୁୟାରୀ ୧୯ ମଧ୍ୟରେ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଏଥିରେ ୧୦୬ ଜଣଙ୍କର ମୃତୂ୍ୟ ଘଟିଛି। ଏଥିମଧ୍ୟରୁ ଉତ୍ତର ଦିଲ୍ଲୀ ଜିଲାରେ ସର୍ବାଧିକ ୩୩ ମୃତ୍ୟୁ ରେକର୍ଡ କରାଯାଇଛି। ଉତ୍ତର-ପଶ୍ଚିମ ଦିଲ୍ଲୀରେ ୧୩ ଜଣ ଏବଂ ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ଦିଲ୍ଲୀରେ ୯ ଜଣଙ୍କର ମୃତ୍ୟୁ ପ୍ରବଳ ଶୀତରେ ଘଟିଛି।

ପଶ୍ଚିମ ଦିଲ୍ଲୀ ଏବଂ ନୂଆଦିଲ୍ଲୀରେ ୮ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ହୋଲିଷ୍ଟିକ ଡେଭଲପମେଣ୍ଟ ସେଣ୍ଟରର ସୁନୀଲ କୁମାର ଆଲେଡିଆ ଦାବି କରିଛନ୍ତି ଯେ ମୃତକମାନେ ବାସହୀନ ଲୋକ। ସେମାନେ ରାତିସାରା ଖୋଲା ଆକାଶ ତଳେ, ରାସ୍ତା କଡ଼ରେ କିମ୍ବା ଦୋକାନ ବାହାରେ ବିତାଇଥାନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଶୀତଦିନେ ଜାନୁଆରୀରେ ମୃତ୍ୟୁ ଘଯିଥିବା ଲୋକଙ୍କ ମଧ୍ୟରେ ୬ ଜଣ ମହିଳା ରହିଛନ୍ତି।

ଏନଜିଓ ଦାବି କରିଛି ଯେ ୨୦୧ ରେ ଡିୟୁଏସଆଇବି ସର୍ଭେରେ ଦିଲ୍ଲୀର ୧୬,୭୬୦ ବାସହୀନ ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ରାସ୍ତା କଡ଼ରେ ଖୋଲା ଆକାଶ ତଳେ ଜୀବନ ବିତାଉଥିବା ବାସହୀନଙ୍କ ପ୍ରକୃତ ସଂଖ୍ୟା ଏକ ଲକ୍ଷେରୁ ଅଧିକ। ଡିୟୁଏସଆଇବି ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ ୩୦୮ ଆଶ୍ରୟ ଗୃହ ଅଛି, ଯେଉଁଥିରେ ସ୍ଥାୟୀ କୋଠା, ଅସ୍ଥାୟୀ କୋଠା, ପୋର୍ଟା କ୍ୟାବିନ ଏବଂ ତମ୍ବୁ ଅନ୍ତର୍ଭୁକ୍ତ। ୯,୩୩୦ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ଏଗୁଡ଼ିକର କ୍ଷମତା ରହିଛି। ସର୍ବଶେଷ ତଥ୍ୟରୁ ଜଣାପଡିଛି ଯେ ପ୍ରାୟ ୮,୨୦୦ ଲୋକ ଏହି ଆଶ୍ରୟ ଗୃହଗୁଡ଼ିକରେ ରାତି ବିତାଉଛନ୍ତି।

ସର୍ଭେରୁ ଜଣାପଡିଛି ଯେ କଶ୍ମୀର ଗେଟ୍‌, ଯମୁନା ପୁସ୍ତା, ନିଗମ ବୋଧ ଘାଟ, ଯମୁନା ବଜାର, ଚାନ୍ଦନୀ ଚୌକ, ଦିଲ୍ଲୀ ଗେଟ୍‌, ଆସଫ ଅଲି ରୋଡ, ଜାମା ମସଜିଦ, ଆଜାଦପୁର, ଓଖଲା, ବାଦଲି, କିଙ୍ଗସୱେ କ୍ୟାମ୍ପ, ନିଜାମୁଦ୍ଦିନ ଏବଂ ବହୁ ସଂଖ୍ୟାରେ ସାରାଇ କାଲେ ଖାଁ ଏବଂ ଏହାର ଆଖପାଖରେ ଅଞ୍ଚଳରେ ବହୁ ସଂଖ୍ୟକ ଲୋକ ଖୋଲା ଆକାଶ ତଳେ ରାତିରେ ଶୋଇଥାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share