ବିଜେଡି-ପ୍ରଶାସନିକ ଅଧିକାରୀ ମଧୁଚନ୍ଦ୍ରିକା: ଭାଜପା

ଭୁବନେଶ୍ୱର, ୩୦।୩(ବ୍ୟୁରୋ) ଶାସନ ବ୍ୟବସ୍ଥାରେ କାର୍ଯ୍ୟପାଳିକାକୁ ଲୋକଙ୍କ ସେବା ପାଇଁ ବିଶେଷ ଅଧିକାର ଦିଆଯାଇଛି। ସେଥିପାଇଁ ସେମାନଙ୍କଠାରୁ ନିରପେକ୍ଷତା ଆଶା କରାଯାଏ। ସେମାନଙ୍କ ନିରପେକ୍ଷତା ହିଁ ଗଣତନ୍ତ୍ରକୁ ସୁଦୃଢ କରେ। ରାଜ୍ୟରେ ଶାସକ ବିଜେଡି ଏବଂ ପ୍ରଶାସନିକ ବ୍ୟବସ୍ଥା ଭିତରେ ଥିବା ମଧୁଚନ୍ଦ୍ରିକା ଏବେ ପଦାରେ ପଡିଛି ବୋଲି ଭାଜପା ଅଭିଯୋଗ କରିଛି। ଏହାସହ ଭାଜପାର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ସରକାରୀ କର୍ମଚାରୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବିପତ୍ର ପ୍ରଦାନ କରିଛିି। ଅନ୍ୟପଟେ ବିଜେଡି ପକ୍ଷରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଏକ ଫୁଲତୋଡ଼ା ଦେଇ ସ୍ବାଗତ ଜଣାଉଥିବା ଆଇପିଏସ୍‌ ଅଧିକାରୀଙ୍କ ଫଟୋ ଦେଖାଇ ପାଲଟା ଟାର୍ଗେଟ କରାଯାଇଛି। ଏହା ଭାଜପାର ଦୋମୁହାଁ ନୀତି ବୋଲି ବିଜେଡି ଅଭିଯୋଗ କରି କହିଛି।
ଭାଜପା ଦାବିପତ୍ରରେ ଉଲ୍ଲେଖ କରିଛି ଯେ, ଉଭୟ ଭାରତୀୟ ଏବଂ ରାଜ୍ୟ ପ୍ରଶାସନିକ ସେବାର ଅଧିକାରୀମାନେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସମର୍ଥନରେ କାଯର୍‌ୟ କରିବା ଦୁର୍ଭାଗ୍ୟଜନକ। କୌଣସି ନିର୍ବାଚନରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନେ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରି ତାଙ୍କ ପାଇଁ ଭୋଟ ହାତେଇବାର ପ୍ରଚେଷ୍ଟା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ମାତ୍ର ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ଦଳ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ଆନୁଗତ୍ୟ ପ୍ରଦର୍ଶନ ସମସ୍ତ ସୀମା ଅତିକ୍ରମ କରିଯାଇଛି। ଫଳରେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି ବୋଲି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି। ଏହା ଓଡ଼ିଶା ପ୍ରଶାସନିକ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବା ସହିତ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଦୋହଲାଇ ଦେଇଛି। ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଉପରେ ରାଜ୍ୟବାସୀ ଆସ୍ଥା ହରାଇ ବସିଛନ୍ତି ବୋଲି ଭୃଗୁ କହିଛନ୍ତି। ପୂର୍ବରୁ ବହୁଥର ଭାଜପା ‘ବିଜେଡି – ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା’ ପ୍ରସଙ୍ଗରେ ଉଦାହରଣ ସହିତ ଅଭିଯୋଗ କରିଆସୁଛି। ଏହା ଗତ ୨୭ ତାରିଖରେ ଉଭୟ ବିଜେଡି ଏବଂ ପ୍ରଶାସନିକ ଅଧିକାରୀମାନେ ନିଜେ ସ୍ପଷ୍ଟ ଭାବେ ପ୍ରମାଣିତ କରିଛନ୍ତି ବୋଲି ଭୃଗୁ କହିଛନ୍ତି ।

Share