ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ ପରାସ୍ତ କରି ପ୍ରଥମ ଥର ପାଇଁ ସରକାର ଗଢ଼ିଛି । ଅନ୍ୟପଟେ ୱାଇଏସ୍‌ଆର କଂଗ୍ରେସକୁ ହରାଇ ଆନ୍ଧ୍ର ପ୍ରଦେଶରେ ଭାଜପା, ଟିଡିପି ଏବଂ ଜନସେନା ମେଣ୍ଟ ସରକାର କରିଛି । ଏହି ଦୁଇ ଆଞ୍ଚଳିକ ଦଳ ଲୋକସଭା ନିର୍ବାଚନରେ ମଧ୍ୟ ଖରାପ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏହି ଦୁଇ ଦଳଙ୍କ ପାଖରେ ଏବେ ମଧ୍ୟ ଭାଜପାକୁ ବିରୋଧ କରିବା ଏବଂ କୌଣସି ବିଲ୍‌ ପାସ୍‌ କରାଇନଦେବା ଭଳି କ୍ଷମତା ରହିଛି ।

ରାଜ୍ୟସଭାରେ ବର୍ତ୍ତମାନ ୱାଇଏସ୍‌ଆର କଂଗ୍ରେସର ୧୧ ଜଣ ଏମ୍‌ପି ଥିବାବେଳେ ବିଜୁ ଜନତା ଦଳର ୯ ଜଣ ଏମ୍‌ପି ଅଛନ୍ତି। ଅନ୍ୟପକ୍ଷରେ, ଦଶ ବର୍ଷ ଶାସନ କରିବା ପରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସଂସଦର ଉପର ଗୃହରେ ସଂଖ୍ୟାଗରିଷ୍ଠତା ନାହିଁ । ଯଦି ଏହାର ସହଯୋଗୀ ଏମ୍‌ପିଙ୍କ ସଂଖ୍ୟା ଯୋଡ଼ି ଦିଆଯାଏ ତେବେ ବି ଏହା ବିଲ୍‌ ପାସ୍‌ କରିବାକୁ ସମର୍ଥ ନୁହେଁ ।

ରାଜ୍ୟସଭାର ମୋଟ ସଦସ୍ୟଙ୍କ ସଂଖ୍ୟା ୨୪୫ ହୋଇଥିବା ବେଳେ କୌଣସି ବିଲ ପାସ କରିବାକୁ, ୧୨୩ ଏମ୍‌ପିଙ୍କ ସମର୍ଥନ ଆବଶ୍ୟକ ହେବ । ବର୍ତ୍ତମାନ ସମସ୍ତ ଏନଡିଏ ସହଯୋଗୀ ଦଳର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ମାତ୍ର ୧୧୭, ଯାହା ସଂଖ୍ୟାଗରିଷ୍ଠତାଠାରୁ ୬ ସଦସ୍ୟ କମ୍‌। ଏଭଳି ପରିସ୍ଥିତିରେ, ୱାଇଏସ୍‌ଆର କଂଗ୍ରେସ କିମ୍ବା ବିଜୁ ଜନତା ଦଳ ବିନା ସମର୍ଥନରେ ଉପର ଗୃହରେ କୌଣସି ବିଲ ପାସ କରିବା ସହଜ ହେବ ନାହିଁ। ଆଗାମୀ ଦିନରେ ଅତି କମରେ ୬ଟି ଖାଲି ସିଟ ଜିତିବାକୁ ଭାଜପା ନିଶ୍ଚୟ ଚେଷ୍ଟା କରିବ । ତେବେ ସରକାର ହରାଇବା ପରେ ମଧ୍ୟ ଏବେ ବିି ୱାଇଏସ୍‌ର କଂଗ୍ରେସ ଏବଂ ବିଜୁ ଜନତା ଦଳ ରାଜ୍ୟସଭାରେ କ୍ଷମତାପୂର୍ଣ୍ଣ ରହିଛନ୍ତି ।

Share