ମେଣ୍ଟ ହେବ କି ନାହିଁ? ମାର୍ଚ୍ଚ ୧୨ରେ ଆସିବ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର,୧୦।୩: ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଦିନକୁ ଦିନ ଅଧିକ ରହସ୍ୟମୟ ହୋଇଉଠୁଛି । ମେଣ୍ଟ ହେବ କି ନାହିଁ, ଏ ଉତ୍ତର କାହାରି ପାଖରେ ନାହିଁ । କେହି ମେଣ୍ଟ ହେବ ବୋଲି କହୁଥିବାବେଳେ କେହି କହୁଛନ୍ତି ଏକାକୀ ଲଢିବୁ। ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇରାଲ ଭିଡିଓ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଚହଳ ପକାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତିର ସବୁଠାରୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛକଥା। କଥାରେ କଥାରେ ସେ ଅନ୍ୟ ଦିଗକୁ ଇଶାରା କରୁଥିବା ଅନୁମାନ କରାଯାଉଛି। ତେବେ କୁହାଯାଉଛି, ଦୁଇ ଦଳର ତୁଙ୍ଗ ନେତା ହିଁ ମେଣ୍ଟ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଏହାର ଭିତରେ ସୂଚନା ମିଳୁଛି ଯେ ଆସନ୍ତା ୧୨ ତାରିଖରେ ମେଣ୍ଟକୁ ନେଇ ଆସିପାରେ ସ୍ପଷ୍ଟ ଚିତ୍ର । କାରଣ ୧୨ ତାରିଖରେ ଦିଲ୍ଲୀରେ ଏନଡିଏ ସହଯୋଗୀ ଦଳଗୁଡ଼ିକର ବୈଠକ ବସିବ । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସେହିଦିନ ଓଡିଶା ଆସିବେ। ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି, ଯଦି ଏନଡିଏରେ ବିଜେଡି ସାମିଲ ହୋଇଥାଏ, ତେବେ ସେହି ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିପାରେ । ମେଣ୍ଟ ନ ହେଲେ ଏନଡିଏ ବୈଠକରେ ନବୀନ ଅନୁପସ୍ଥିତ ରହିବେ।

ଆସନ୍ତା ୧୨ ତାରିଖରେ, ଅର୍ଥାତ ଆଉ ୩ ଦିନ ପରେ ଏହି ଚର୍ଚ୍ଚା ଉପରେ ସ୍ପଷ୍ଟ ଚିତ୍ର ଆସିବ । ବିଜେଡି-ଭାଜପା ସମ୍ଭାବ୍ୟ ମେଣ୍ଟର ଗତିବିଧି ଉପରେ ନଜର ରଖୁଥିବା କିଛି ନେତା କହୁଛନ୍ତି ଏବେ ବି କିଛି ସ୍ତରରେ ଆଲୋଚନା ଚାଲିଛି ଏବଂ ୧୨ ତାରିଖରେ ଏହା ସାମ୍ନାକୁ ଆସିବ ।

ମେଣ୍ଟ ହେବ ନା ନାହିଁ, ତାକୁ ନେଇ ଅନେକ ପ୍ରଶ୍ନ ରହିଥିବା ବେଳେ ଏହାର ଉତ୍ତର କାହାରି ପାଖରେ ନାହିଁ । ମିଳୁଥିବା ସୂଚନା ଅନୁସାରେ, ବିଜେଡି-ଭାଜପା ମଧ୍ୟରେ ଆସନ ବୁଝାମଣା ହୋଇପାରୁନାହିଁ । ମେଣ୍ଟ ପାଇଁ ଭାଜପା ପୁରୀ-ଭୁବନେଶ୍ୱର ମାଗୁଥିବାବେଳେ ସେଥିରେ ବିଜେଡି ରାଜି ହେଉନାହିଁ ଏବଂ ବିଜେଡି ଏମିତି କିଛି ଆସନ ଦାବି କରୁଛି, ଯେଉଁଥିରେ ଭାଜପାର ନେତାମାନେ ରାଜି ହେଉନାହାନ୍ତି ।

ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ପରେ ଉଭୟ ନେତା ଓ କର୍ମୀ ମହଲରେ ଉତ୍କଣ୍ଠା ଲାଗି ରହିଛି । ମେଣ୍ଟ ହୋଇପାରେ କି, କାହାକୁ ଟିକେଟ ମିଳିବ, କିଏ କଟିବ, ଏହିପରି ଅନେକ ପ୍ରଶ୍ନ ସେମାନଙ୍କ ମନକୁ ଆନ୍ଦୋଳିତ କରୁଛି । ଏହି ଅବସ୍ଥାରେ ମନ୍ତ୍ରୀ ଠାରୁ ଆରମ୍ଭ କରି ଦଳୀୟ କର୍ମୀମାନେ ଏବେ ଦୋଦୁଲ୍ୟମାନ ଅବସ୍ଥାରେ ଅଛନ୍ତି। ବୋଧହୁଏ ଆସନ୍ତା ୧୨ ତାରିଖରେ ଏସବୁ ପ୍ରଶ୍ନର ଉତ୍ତର ମିଳିଯାଇପାରେ ବୋଲି ଆଶା କରାଯାଉଛି ।

 

Share