ଡେଇଁଲେ, ପଡ଼ିଲେ ଗାତରେ

ଭୁବନେଶ୍ୱର,୭ା୩(ଅନିଲ ଦାସ)ରାଜନୀତିରେ ଯାହାର ଅଧିକ ଧୈର୍ଯ୍ୟ ଥାଏ ସେ ତିଷ୍ଠି ରହିଥାଆନ୍ତି ବୋଲି କୁହାଯାଏ। ବିଗତ ଦିନରେ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳରୁ ଜଣାଶୁଣା ବ୍ୟକ୍ତି ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିବାର ନଜିର ରହିଛି। ଆସନ୍ତା ନିର୍ବାଚନ ପୂର୍ବରୁ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବିଜେଡିରେ ଅସନ୍ତୁଷ୍ଟ କେତେ ଜଣ ନାମକରା ବ୍ୟକ୍ତି ନିକଟରେ ଭାଜପାରେ ଯୋଗ ଦେଇଛନ୍ତି। ତେବେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଆଲୋଚନା ଜୋର ଧରିବା ପରେ ସେହି ଦଳ ଡିଆଁ ନେତାମାନେ ଏବେ ଗାତରେ ପଡ଼ିବା ସ୍ଥିତିରେ ରହିଛନ୍ତି। କାରଣ ବିଜେଡିରୁ ଯେଉଁମାନେ ଭାଜପାରେ ଯୋଗଦେଇଛନ୍ତି ସେହି ସ୍ଥାନରେ ବର୍ତ୍ତମାନ ବିଜେଡି ତା’ର ପ୍ରାର୍ଥୀ ଦେବାକୁ ଚାହଁିବ। ଫଳରେ ଭାଜପାରେ ଯୋଗଦେଇଥିବା ନେତାମାନଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ସେମାନେ ଚିନ୍ତାରେ ପଡ଼ିଲେଣି।
ଗତ କିଛିଦିନ ଭିତରେ ବିଜେଡିର ୨ ଜଣ ବହିଷ୍କୃତ ବିଧାୟକ, ୨ ଜଣ ବିଧାୟକ ଏବଂ ୬ ଜଣ ପୂର୍ବତନ ବିଧାୟକ ଭାଜପାରେ ଯୋଗଦେଇ ସାରିଲେଣି। ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେଡିର ଜୟଦେବ ବିଧାୟକ ଅରବିନ୍ଦ ଢାଲି, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ, ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ, ସାରସକଣାର ପୂର୍ବତନ ବିଧାୟକ ଭାଦବ ହଁାସଦା, ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏବଂ ଭଦ୍ରକ ପୂର୍ବତନ ବିଧାୟକ ନରେନ ପଲେଇ ପ୍ରମୁଖ ଭାଜପାରେ ସାମିଲ ହୋଇଛନ୍ତି। ଆଉ କେତେଜଣ ନେତା ଦଳ ବଦଳାଇବା ପାଇଁ ସଜବାଜ ହେଉଛନ୍ତି। ଏପରି ସ୍ଥଳେ ସମ୍ଭାବ୍ୟ ମେଣ୍ଟ ସେହି ନେତାମାନଙ୍କ ଆଶାକୁ ଧୂଳିସାତ୍‌ କରିବା ନେଇ ଚର୍ଚ୍ଚା ହେଉଛି।

Share