୩ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ସରଗରମ ରାଜ୍ୟ ରାଜନୀତି, ଜାଣନ୍ତୁ କେଉଁଠି ହେବ ଜୋରଦାର ଲଢେଇ

ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ଏବେ କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେଡି ୭୨, ଭାଜପା ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏବେ କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି ପରେ ଅସଲ ଲଢେଇ ଆରମ୍ଭ ହୋଇଛି । ଏବେ ରାଜ୍ୟ ରାଜନୀତି ଦମଦାର ରହିଛି। ତେବେ ଖୁବଶୀଘ୍ର ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ଆସିବ। ଆସନ୍ତୁ ଜାଣିବା କେଉଁ ଆସନରେ ହେବ ବଡ଼ ଲଢେଇ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନୂଆପଡା ପ୍ରାର୍ଥୀ କରିଛି କଂଗ୍ରେସ । ତାଙ୍କୁ ଟକ୍କର ଦେବେ ବର୍ତ୍ତମାନର ବିଧାୟକ ତଥା ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଓ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା। ସେହିପରି ଉମରକୋଟରେ ଭାଜପା ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ଚ୍ୟାଲେଞ୍ଜ ଦେବେ ବିଜେଡିର ନବୀନା ନାୟକ ଓ କଂଗ୍ରେସର ସନରାଜ ଗଣ୍ଡ। ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହେର ଓ ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଟକ୍କର ଦେବେ କଂଗ୍ରେସ ପ୍ରାର୍ଥୀ ଅନୀଲ ମେହେର। ଏସବୁ ବ୍ୟତିତ ଭଟଲୀ ବିଧାନସଭା ଆସନରେ କଡା ଟକ୍କର ହୋଇପାରେ । ବଲାଙ୍ଗିର ବିଧାନସଭା ଆସନରେ ବିଜେଡିର କଳିକେଶ ସିଂଦେଓଙ୍କୁ ନରସିଂହ ମିଶ୍ରଙ୍କ ପୁଅ ସମରେଶ ମିଶ୍ର ଟକ୍କର ଦେଉଥିବା ବେଳେ ଗୋପାଳଜୀ ପାଣିଗ୍ରାହୀ ଭାଜପାରୁ ମଇଦାନକୁ ଓହ୍ଲାଇବେ। ସେହିପରି ସମ୍ବଲପୁରରେ ମଧ୍ୟ ବଡ଼ ଲଢେଇ ହୋଇପାରେ।

Share