ପ୍ରଚାରବେଳେ ବିଜେଡି-ଭାଜପା ମୁହାଁମୁହିଁ

ଝାରସୁଗୁଡ଼ା ଅଫିସ,୮ା୨: ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍‌ ୧ନମ୍ବର ଜୋନ୍‌ରେ ନିର୍ବାଚନ ପ୍ରଚାର ବେଳେ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଭାଜପା ଜିଲା ପରିଷଦ ପ୍ରାର୍ଥିନୀ ଶବ୍ୟାସିନୀ ପ୍ରଧାନ, ଭାଜପା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକଙ୍କ ସହ ମିଶି ପ୍ରଚାର କରୁଥିବା ବେଳେ ବାରଗାଡ ଗ୍ରାମରେ ବିଜେଡି କର୍ମୀମାନେ ସେମାନଙ୍କୁ ଅଟକାଇ ବିରୋଧ କରିଥିଲେ। ଏହାକୁ ନେଇ ଦୁଇପକ୍ଷ ମଧ୍ୟରେ କଥା କଟାକଟି ହେବା ସହ ଯୁକ୍ତିତର୍କ ହୋଇଥିଲା।

ଖବରପାଇ ଲଇକେରା ଥାନା ଆଇଆଇସି ପ୍ରବୀର କେଶରୀ ତ୍ରିପାଠୀ ଓ ସାହଜପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା କରିଥିଲେ। ପରେ ଭାଜପାର ପ୍ରଚାର ଗାଡି ଆଗକୁ ଯାଇଥିଲା। ଏ ନେଇ ଲଇକେରା ଥାନା ଆଇଆଇସି ତ୍ରିପାଠୀ କହିଛନ୍ତି, ଭାଜପା ପ୍ରାର୍ଥିନୀ ନିର୍ବାଚନ ପ୍ରଚାର କରୁଥିବାବେଳେ କେତେଜଣ ବିଜେଡି କର୍ମୀ ତାଙ୍କୁ କିଛି ପ୍ରଶ୍ନ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ହେଲେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।