ବିଜେଡି ଟପିଗଲା ସବୁ ସୀମା କାହିଁକି ଏମିତି କହିଲେ…

ଭୁବନେଶ୍ୱର, ୧୨।୮(ସୁନିତ୍‌ ମିଶ୍ର): ବିଜେଡି ସବୁ ସୀମା ଟପିଛି। ଯେତେବେଳେ ହତାଶ ଏବଂ ପରାଜୟ ଗ୍ଳାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ କୌଣସି ରାସ୍ତା ନ ଥାଏ, ସେତେବେଳେ ଏଭଳି ‘ଔଷଧ ବିକଳରେ ତାଟିଆ କାମୁଡିବା’ ପ୍ରକୃତି ଦେଖାଯାଏ। ୨୫ ବର୍ଷ ଧରି ନବୀନ ବାବୁ ଓଡ଼ିଶାର ଲୋକଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଥିଲେ। କିନ୍ତୁ ଭାଜପା ଓଡ଼ିଶାରେ ପ୍ରଥମ ସରକାର ଗଠନ କରିବା ପରେ ଯାହା ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା, ତାହା ଗୋଟି ଗୋଟି ପୂରଣ କରୁଛି। ଏହାକୁ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ୍ୟ କରି ନ ପାରି ବାଉଳିଚାଉଳି ହୋଇ ଲୋକଙ୍କ ପାଖକୁ ଯାଇ ‘ଜନଜାଗରଣ’ କରିବେ ବୋଲି ତାଙ୍କ ‘ଏକ୍ସ’ ଆକାଉଣ୍ଟରେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ଭାଜପା ବର୍ଦ୍ଧିତ ଭତ୍ତା ଦେବାର ଯେଉଁ ‘ନିର୍ବାଚନ ପ୍ରତିଶ୍ରୁତି’ ଦେଇଥିଲା ସେଥିରୁ ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ, ଭିନ୍ନକ୍ଷମ, ବିଧବାମାନଙ୍କୁ ୩୫୦୦ ଟଙ୍କା ଲେଖା ଦେବାକୁ ନିଷ୍ପତ୍ତି ନେଇଛି। ଏ କଥାକୁ ବିଜେଡି ସହଜରେ ହଜମ କରିପାରୁନାହିଁ ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି।
ବିଜ୍ଞପ୍ତି ଜରିଆରେ ଯତୀନ କହିଛନ୍ତି ଯେ, ୫୦୦ ଟଙ୍କା ଭତ୍ତାକୁ ହଜାରେ କରିବାକୁ ବିଜେଡିକୁ ୨୫ ବର୍ଷ ସମୟ ଲାଗିଲା। ଏବେ ୨ ମାସର ଭାଜପା ସରକାର ଅନେକ ଲକ୍ଷ ହିତାଧିକାରୀଙ୍କ ପାଇଁ ୩ ଗୁଣ ବଢ଼ାଇ ୩୫୦୦ ଟଙ୍କା ଭତ୍ତା କରିବା ପରେ, ବିଜେଡି ସଭାପତି ଅସହିଷ୍ଣୁ ହୋଇ ‘ଜନଜାଗରଣ’ କରିବ ବୋଲି କହିବା ଅତ୍ୟନ୍ତ ଲଜ୍ଜାକର କଥା। ଦୀର୍ଘଦିନର ଭ୍ରଷ୍ଟାଚାର, ଅପାରଗତା ଯୋଗୁ ଜନତା ବିଜେଡିକୁ ପ୍ରତ୍ୟାଖ୍ୟାତ କରିଛନ୍ତି। ଭାଜପା ଚାହୁଁଛି ନବୀନ ବାବୁ ଥରେ ଲୋକଙ୍କ ପାଖକୁ ଯାଆନ୍ତୁ। ଲୋକଙ୍କ ମନରେ ଯେଉଁ କ୍ଷୋଭ, ଗ୍ଳାନି ଓ ଆକ୍ରୋଶ ଅଛି ତାହାକୁ ସାମ୍ନା କରନ୍ତୁ। ବିଜେଡି ୨୫ ବର୍ଷରେ ଯେତେ ପ୍ରତିଶ୍ରୁତି ଦେଇଥିଲା, ତାହା ବିଭିନ୍ନ ଯୋଜନା ମାଧ୍ୟମରେ ସବୁ ଧୂଆଁବାଣ ଓ ଲୋକଙ୍କୁ ଠକିବାର ଉପାୟ ଥିଲା। ନବୀନ ଶାସନରେ ଥିବାବେଳେ ପୁରୀରେ ଛିଡ଼ା ହୋଇ କହିଥିଲେ, ପ୍ରତିବର୍ଷ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଚାଷୀଙ୍କୁ ଦେବେ। କିନ୍ତୁ କୌଣସି ଚାଷୀ ୧୦ ହଜାର ଟଙ୍କା ପାଇଲେ ନାହିଁ। ସୋହେଲାରେ ୧୦୦ ଟଙ୍କା ବୋନସ୍‌ ଚାଷୀଙ୍କୁ ଦେବେ ବୋଲି ଘୋଷଣା କରିଥିଲେ, ତାହା ମଧ୍ୟ ଦେଲେ ନାହିଁ। ଭାଜପା ନିର୍ବାଚନ ବେଳେ ଓଡ଼ିଶାବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଯତୀନ କହିଛନ୍ତି।

Share