୬ଜଣଙ୍କ କଟିଲା ଟିକେଟ୍‌, ବଦଳିଲା ବିଧାୟକଙ୍କ ଆସନ

ଭୁବନେଶ୍ୱର,୫।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ (BJD) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ୩ୟ ପର୍ଯ୍ୟାୟରେ ମୋଟ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । କେବଳ ରାଉରକେଲା ଓ ସାଲେପୁରକୁ ଛାଡିଲେ ବାକି ସମସ୍ତ ଆସନରେ ପ୍ରାର୍ଥୀ ବଦଳାଇଛନ୍ତି ସୁପ୍ରିମୋ । ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ୨ୟ ପର୍ଯ୍ୟାୟରେ ୨୭ ଜଣ ଓ ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହି ପରି ଭାବେ ମୋଟ ୩ଟି ପର୍ଯ୍ୟାୟରେ ୧୦୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

ତେବେ ୩ୟ ପର୍ଯ୍ୟାୟରେ ୯ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ୭ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଇଛି ଦଳ । ଯେଉଁମାନଙ୍କୁ ୨୦୧୯ ନିର୍ବାଚନରେ ଦଳ ପ୍ରାର୍ଥୀ କରିଥିଲା ସେମାନଙ୍କୁ ଦଳ ପରିବର୍ତ୍ତନ କରିଛି । ରେଙ୍ଗାଲିରୁ ଦଳ ଏଖର ସୁଦର୍ଶନ ହରିପାଲଙ୍କୁ ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ଏହି ଆସନ ଭାଜପା ଖାତାକୁ ଯାଇଥିଲା । ସେତେବେଳେ ବିଜେଡି ରୀନା ତନ୍ତିଙ୍କୁ ପ୍ରାର୍ଥୀ କରିଥିଲା ।

ସୁନ୍ଦରଗଡର ବୀରମିତ୍ରପୁରରେ ବିଜେଡି ଏଥର ରୋହିତ ଯୋଶେଫ ତିର୍କିଙ୍କୁ ପ୍ରାର୍ଥୀ କରିଛି । ୨୦୧୯ରେ ଦଳ ଏଠାରୁ ମଖଲୁ ଏକ୍କାଙ୍କୁ ପ୍ରାର୍ଥୀ କରିଥିବାବେଳେ ସେ ଭାଜପା ବିଧାୟକ ଶଙ୍କର ଓରାମଙ୍କ ଠାରୁ ପରାଜିତ ହୋଇଥିଲେ । ସେହିଭଳି କେନ୍ଦୁଝରରୁ ପ୍ରାର୍ଥୀ ହୋଇଛନ୍ତି ମୀନା ମାଝୀ । ୨୦୧୯ରେ ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ମାଧମ ସଦାର । ସେହିପରି ରାଇରଙ୍ଗପୁରରୁ ପ୍ରାର୍ଥୀ ହୋଇଛନ୍ତି ରାଇସେନ ମୁର୍ମୁ । ୨୦୧୯ରେ ପ୍ରାର୍ଥୀ ହୋଇଥିବା ବାସନ୍ତୀ ମାରାଣ୍ଡି ଭାଜପା ବିଧାୟକ ନବ ଚରଣ ମାଝୀଙ୍କ ଠାରୁ ପରାସ୍ତ ହୋଇଥିଲେ ।

ବାରବାଟୀ କଟକରୁ ଦଳ ପ୍ରାର୍ଥୀ କରିଛି ପ୍ରକାଶ ବେହେରାଙ୍କୁ । ନିକଟରେ ସେ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ୨୦୧୯ରେ ଏଠାରୁ ପ୍ରାର୍ଥୀ ହୋଇଥିଲେ ଦେବାଶିଷ ସାମନ୍ତରାୟ। କିନ୍ତୁ ଏହି ଆସନ କଂଗ୍ରେସ ଖାତାକୁ ଯାଇଥିଲା । ସେହିଭଳି ଜୟଦେବ ବିଧାୟକ ଅରବିନ୍ଦ ଢାଲି ଭାଜପାରେ ମିଶିବା ପରେ ସେଠାରୁ ଦଳ ଏବେ ନବକିଶୋର ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି । ଏଥର ସେ ଦଳୀୟ ଟିକେଟ ପାଇ ଢାଲିଙ୍କ ବିପକ୍ଷରେ ଲଢିବାକୁ ଯାଉଛନ୍ତି ।

Share