ଜିତିଛନ୍ତି ବିଜେଡି ପ୍ରାର୍ଥୀ, କମିଛି ଭୋଟ

ହାଟଡ଼ିହୀ, ୮ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟଲାଭ କରିଛନ୍ତି। ସେ ୭୧ ହଜାର ୬୫୧ ଖଣ୍ଡ ଭୋଟ ପାଇଛନ୍ତି। ମାତ୍ର ଏଠାରେ ପୂର୍ବ ନିର୍ବାଚନ ଅପେକ୍ଷା ଦଳର ଭୋଟହାର ହ୍ରାସ ପାଇଛି। ଅନ୍ୟପକ୍ଷରେ କଂଗ୍ରେସ ଓ ଭାଜପାର ଭୋଟ ପରିମାଣ ବଢ଼ିଥିବା ପରିଲକ୍ଷିତ ହୋଇଛି।
ବିଧାନସଭା କ୍ଷେତ୍ରରେ ସଦ୍ୟ ସମାପ୍ତ ନିର୍ବାଚନରେ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ପ୍ରତିଦ୍ବନ୍ଦ୍ୱିତା ହୋଇଥିଲା। ପୂର୍ବ ୩ ବିଧାନସଭା ନିର୍ବାଚନରେ ବିଜେଡି ଏଠାରେ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଥିବା ବେଳେ ଏଥର ବି ଗଡ଼ ଦଖଲ କରିଛି। ମାତ୍ର ୨୦୧୯ ନିର୍ବାଚନଠାରୁ କଂଗ୍ରେସ, ଭାଜପା ଅଧିକ ସକ୍ରିୟ ହୋଇ ନିଜର ଭୋଟ ପରିମାଣକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି, ଯାହାକି ଏଥର ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଉଛି। ୨୦୧୯ରେ କଂଗ୍ରେସକୁ ୪୫ ହଜାର ୬୫୭ ଖଣ୍ଡ, ବିଜେଡିକୁ ୮୯ ହଜାର ୮୫୦ ଏବଂ ଭାଜପାକୁ ୩୧ ହଜାର ୫୫୪ ଖଣ୍ଡ ଭୋଟ ମିଳିଥିଲା। ନୋଟା ଭୋଟ ସଂଖ୍ୟା ୧ ହଜାର ୨୯ ଖଣ୍ଡ ଥିଲା। ୨୦୨୪ ନିର୍ବାଚନରେ ମୋଟ ୧ ଲକ୍ଷ ୮୦ ହଜାର ୫୯୯ ଜଣ ଭୋଟ ଦେଇଥିଲେ। ପୋଷ୍ଟାଲ ଭୋଟ ଦେଇଥିବା ୫୧୪ ଜଣଙ୍କ ମଧ୍ୟରୁ କଂଗ୍ରେସକୁ ସର୍ବାଧିକ ୧୯୪ ଖଣ୍ଡ, ଭାଜପାକୁ ୧୬୩ ଖଣ୍ଡ, ବିଜେଡିକୁ ୧୩୫ ଖଣ୍ଡ, ଅନ୍ୟାନ୍ୟକୁ ୨୦ ଖଣ୍ଡ ଭୋଟ ମିଳିଥିଲା। ତେବେ ଇଭିଏମ୍‌ ଏବଂ ପୋଷ୍ଟାଲ ଭୋଟକୁ ମିଶାଇ କଂଗ୍ରେସକୁ ଏଥିର ୬୦ ହଜାର ୬୮୫ ଖଣ୍ଡ, ବିଜେଡିକୁ ୭୧ ହଜାର ୬୫୧ ଖଣ୍ଡ, ଭାଜପାକୁ ୪୨ ହଜାର ୫୯୧ ଖଣ୍ଡ ଭୋଟ ମିଳିଛି। ନୋଟାକୁ ୧ ହଜାର ୬୦୫ ଖଣ୍ଡ ଭୋଟ ମିଳିଥିଲା। ଅପରପକ୍ଷେ ଲୋକ ସଭା କ୍ଷେତ୍ରରେ ନିର୍ବାଚନକୁ ଲକ୍ଷ୍ୟକଲେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ଭାଜପା ବିଜୟୀ ହୋଇଛି। ସୂଚନାଯୋଗ୍ୟ, ୨୦୧୯ରେ ଜିଲାରେ ୬ଟି ବିଧାନସଭା କ୍ଷେତ୍ରରୁ ୫ଟିରେ ବିଜେଡି ବିଜୟୀ ହୋଇଥିଲା। ଲୋକ ସଭା ଆସନ ମଧ୍ୟ ବିଜେଡି ହାତେଇଥିଲା। ୨୦୨୪ରେ ୩ ବିଧାନସଭା ଆସନରେ ବିଜେଡି ଏବଂ ୩ଟିରେ ଭାଜପା ବିଜୟୀ ହୋଇଛି। ଲୋକ ସଭା ଆସନ ଭାଜପା ହାତକୁ ଯାଇଛି।

Share