ବିଇଏମସିରେ ବିଜେଡି କର୍ପୋରେଟର ଦୁଇ ଫାଳ: ରହସ୍ୟ ଘେରରେ ପୂର୍ବତନ ଏମପି, ବିଧାୟକଙ୍କ….

ବ୍ରହ୍ମପୁର,୨୧ା୧୦(ନରସିଂହ ସାହୁ): ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ବିଜେଡି କର୍ପୋରେଟର ଦୁଇ ଫାଳ ହୋଇଯାଇଛି। ସୋମବାର ଦଳର ବୈଠକରେ ୨୫ରୁ ଅଧିକ ଅନୁପସ୍ଥିତ ଥିବାରୁ ବିବାଦ ପକାକୁ ଆସିଛି। ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପୂର୍ବତନ ଏମପି ଚନ୍ଦ୍ରଶେଖର ସାହୁ ଓ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଧ୍ୟ ଯୋଗ ଦେଇ ନ ଥିବା ରହସ୍ୟ ଘେରକୁ ଆସିଯାଇଛି। ମହାନଗରରେ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଓ ନୂଆ ସଦସ୍ୟ ସଂଗ୍ରହ ଅଭିଯାନ ନେଇ ପ୍ରସ୍ତୁତି ବୈଠକ ଡ଼କାଯାଇଥିଲା। ଅଭିଯାନ ମଙ୍ଗଳବାର ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। ତେବେ ସମ୍ଭାବ୍ୟ ବର୍ଷା ଓ ବାତ୍ୟା ଆଶଙ୍କାରେ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇ ନଭେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସଭାପତି କହିଛନ୍ତି। ବୈଠକରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ଼ି, ପୂର୍ବତନ ଜିଲା ସଭାପତି ସୁବାସ ମହାରଣା ସମେତ କର୍ପୋରେଟର ସୁରେନ୍ଦ୍ର ମହାରଣା, ତିରୁପତି ପାତ୍ର, ଟି. କିଶୋର, ଡି. କରୁଣାରକର, ପ୍ରଦୀପ ଶତପଥୀଙ୍କ ସମେତ ୭ରୁ ୮ ଜଣ ଉପସ୍ଥିତ ଥିଲେ। ଜିଲା ଉପସଭାପତି ଭଗବାନ ଗନ୍ତାୟତ, ମହାନଗର ସଭାପତି ବିଜୟ ସାମଲ ଓ ଅନ୍ୟମାନେ ଯୋଗ ଦେଇଥିଲେ। ବଡ଼ ନେତାଙ୍କ ଅନୁପସ୍ଥିତି ନେଇ ଚ୍ୟାଉ ପଟ୍ଟନାୟକ ଭିନ୍ନ ଭାବରେ କହିଛନ୍ତି ଯେ, କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଚନ୍ଦ୍ରଶେଖର ଓ ବିକ୍ରମ ଆସିପାରିନାହାନ୍ତି।

Share