ଭାଜପା ଯୋଗାଯୋଗରେ ବିଜେଡି କର୍ପୋରେଟର

ବ୍ରହ୍ମପୁର,୭ା୭(ନରସିଂହ ସାହୁ)ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର କେତେଜଣ ବିଜେଡି କର୍ପୋରେଟର ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ସଭାପତି ସୁବାସ ସାହୁ ଏହି ସୂଚନା ଦେଇଛନ୍ତି। ଖୁବଶୀଘ୍ର ନିଗମର ରାଜନୀତି ଓଲଟପାଲଟ ହେବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।
ଗତ ୨୮ ତାରିଖରେ ମେୟର ସଂଘମିତ୍ରା ଦଳେଇ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଜେଡି କର୍ପୋରେଟରଙ୍କ ସହ ଆଲୋଚନା ଓ ସେମାନଙ୍କୁ ବାନ୍ଧି ରଖିବାକୁ ପଦକ୍ଷେପ ନେଇଥିଲେ। ଧରିତ୍ରୀ ସହ ଆଲୋଚନା ପ୍ରସଙ୍ଗରେ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ଦଳର କର୍ପୋରେଟରଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି। ବିଇଏମ୍‌ସିର ମୋଟ ୪୨ ଓ୍ବାର୍ଡରୁ ଗତ ପୌର ନିର୍ବାଚନରେ ବିଜେଡିରୁ ୩୦ କର୍ପୋରେଟର ନିର୍ବାଚିତ ହୋଇଥିଲେ। ତନ୍ମଧ୍ୟରୁ ୧୫ ଜଣ ମହିଳା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଇଏମ୍‌ସିର ୭ ଜଣ ଭାଜପା କର୍ପୋରେଟରଙ୍କ ମଧ୍ୟରୁ ୪ ଜଣ ବିଜେଡିରେ ଯୋଗ ଦେଇଥିଲେ ଏବଂ ୪ ସ୍ବାଧୀନଙ୍କ ମଧ୍ୟରୁ ୨ ଜଣ ବିଜେଡିରେ ମିଶିଥିଲେ। ୩୬ କର୍ପୋରେଟର ଦଳରେ ଥାଇ ମଧ୍ୟ ଗତ ନିର୍ବାଚନରେ ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ୧୮ ହଜାର ଭୋଟ ବ୍ୟବଧାନରେ ଭାଜପା ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଭୋଟ ଫଳାଫଳ ଘୋଷଣାର ମାସେ ବିତିଛି ଏବଂ ନୂଆ ଓ ପୁରୁଣା କର୍ପୋରେଟରମାନଙ୍କ କାର୍ଯ୍ୟ ସନ୍ଦେହଜନକ ହୋଇଥିବା ଚ୍ୟାଉ ପଟ୍ଟନାୟକ ଆଶଙ୍କା କରୁଛନ୍ତି। ବିଭିନ୍ନ ଉପାୟରେ ବିଜେଡିରେ ମିଶିଥିବା ୬ କର୍ପୋରେଟରଙ୍କ ମଧ୍ୟରୁ କେତେଜଣ ବର୍ତ୍ତମାନର ଭାଜପା ବିଧାୟକଙ୍କ ସାଥିରେ ବୁଲୁଥିବାରୁ ଚ୍ୟାଉ ପଟ୍ଟନାୟକଙ୍କ ସନ୍ଦେହ ଘନୀଭୂତ ହୋଇଛି। ଓଡ଼ିଶା ମ୍ୟୁନିସିପାଲ ଆକ୍ଟ ଅନୁଯାୟୀ ନିର୍ବାଚନର ଦୁଇ ବର୍ଷ ପରେ ମେୟର ଓ ପରିଷଦ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରିବ। ପୌର ନିର୍ବାଚନ ଦଳୀୟ ଚିହ୍ନରେ ହୋଇଥିବାରୁ ନିର୍ବାଚିତ କର୍ପୋରେଟରଙ୍କ ସମୁଦାୟ ସଂଖ୍ୟାରୁ ଦୁଇ ତୃତୀୟାଂଶ ଏକାଠି ଅନ୍ୟ ଦଳରେ ମିଶିଲେ ଅସୁବିଧା ନୁହେଁ। ନଚେତ୍‌ ଦଳବଦଳ ନିରୋଧ ଆଇନ ପ୍ରକାରେ ପଦ ହରାଇବେ। ତେଣୁ ଦଳ ଛାଡ଼ି ଅନ୍ୟ ଦଳକୁ ଗଲେ ସମସ୍ୟା ସୃଷ୍ଟି ହେବାର ନିଶ୍ଚିତ ଥିବାରୁ ବିଜେଡିରୁ ଭାଜପାରେ ମିଶିବା ସହଜ ନୁହେଁ ବୋଲି ରାଜନୀତି ସମୀକ୍ଷକ ମତ ରଖିଛନ୍ତି।

Share