ମହାନଦୀ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୟାନକୁ କାଉଣ୍ଟର କଲା ବିଜେଡି

ଭୁବନେଶ୍ୱର,୨୭।୬: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ବୟାନକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ଶଙ୍ଖ ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମିଶ୍ର କହିଛନ୍ତି, ମହାନଦୀ ଓଡ଼ିଶାର ୧୬ ଜିଲାର ଲୋକଙ୍କ ଜୀବନଧାରା। ହେଲେ ଏହା ଉପରେ ଛତିଶଗଡ ମନମାନି କରିଆସୁଛି। ହୀରାକୁଦର ଉପମୁଣ୍ଡରେ ଛତିଶଗଡ ଓ ତଳମୁଣ୍ଡରେ ଓଡ଼ିଶା କେତେ ପାଣି ବ୍ୟବହାର କରିବ, ଏନେଇ ଉଲ୍ଲେଖ ରହିଛି। ତଥାପି ଛତିଶଗଡ ମହାନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ବେଆଇନ ଭାବେ କାର୍ଯ୍ୟ କରିଚାଲିଛି।

ବିଜେଡି ନେତା ଆହୁରି କହିଛନ୍ତି ଯେ, ଛତିଶଗଡର ବେଆଇନ କାମ ବିରୋଧରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସିଡବ୍ଲ୍ୟସିଙ୍କ ନିକଟରେ ବାରମ୍ବାର ନବୀନ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ତତ୍କାଳୀନ ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୬ରେ ଦିଲ୍ଲୀରେ ବସିଥିବା ବୈଠକରେ ଛତିଶଗଡର ବେଆଇନ କାମକୁ ଅଟକାଇବା ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ଦାବି ରଖିବା ସତ୍ତ୍ୱେ ମଧ୍ୟ କୈଣସି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇନଥିଲା। ସେତେବେଳେ ଓଡ଼ିଶାର ସ୍ବାର୍ଥକୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ କେନ୍ଦ୍ର ସରକାର।

Share