ଏମ୍‌ପି ବିଦେଶ ଗସ୍ତରେ ଥିବାବେଳେ ବିଜେଡି ଗୁଜବ ସୃଷ୍ଟି କରିବା ହାସ୍ପ୍ୟାସ୍ପଦ: ଭାଜପା

ଭୁବନେଶ୍ୱର,୨୮ା୬(ଅନିଲଦାସ): ଭୁବନେଶ୍ୱର ଏମ୍‌ପି ଗତ ୧୭ ତାରିଖ କରିଥିବା ଖବରଦାତା ସମ୍ମିଳନୀର ୧୦ଦିନ ପରେ ବିଜେଡି ମୁଖପାତ୍ର ମଙ୍ଗଳବାର ଯେଉଁ ତଥ୍ୟ ରଖିଛନ୍ତି ତାହା ତଥ୍ୟ ଆଧାରିତ ନୁହେଁ। ବିର୍ତ୍ତମାନ ଏମ୍‌ପି ଅପରାଜିତା ଷଡଙ୍ଗୀ ଅନ୍ତର୍ଜାତୀୟ ସଂସଦୀୟ ସଂଘ (ଆଇପିୟୁ)ରେ ଯୋଗ ଦେବା ପାଇଁ ୭ଦିନିଆ ବିଦେଶ ଗସ୍ତରେ ଥିବାବେଳେ ଶାସକ ଦଳର ମୁଖପାତ୍ର ଗୁଜବ ସୃଷ୍ଟି କରିବା ଅତ୍ୟନ୍ତ ହାସ୍ପ୍ୟାସ୍ପଦ ଓ ନିନ୍ଦନୀୟ ବୋଲି ଭାଜପା ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂ କହିଛନ୍ତି।
ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଖବରଦତା ସମ୍ମିଳନୀରେ ସେ କହିଛନ୍ତି, ଭୁବନେଶ୍ୱର ଜନସାଧାରଣ ଅପରାଜିତାଙ୍କୁ ଭଲ ଭାବରେ ଜାଣିଛନ୍ତି ଓ ବୁଝିଛନ୍ତି। କିଛି ତଥ୍ୟ ନ ଜାଣି ବିଜେଡିର ମୁଖପାତ୍ରମାନେ ଏମ୍‌ପିଙ୍କ ଉପରେ ମନ୍ତବ୍ୟ ରଖିବା ଅତ୍ୟନ୍ତ ହାସ୍ପ୍ୟାସ୍ପଦ। ଭୁବନେଶ୍ୱରରେ କେବଳ ଇସ୍କନ ମନ୍ଦିରଠାରେ ନୁହେଁ ବଂର ସହରର ସବୁଆଡେ ଜଳ ସମସ୍ୟା ହୁଏ। ଏନେଇ ଷଡ଼ଙ୍ଗୀ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି (ସହରାଞ୍ଚଳ)ରେ ଉପସ୍ଥାପନା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱରରେ ୧୪ଟି ଡ୍ରେନ ଗଙ୍ଗୁଆ ନଦୀ ସହ ସଂଯୋଗର ମାଷ୍ଟରପ୍ଲାନ ହେବା ଆବଶ୍ୟକ। ରାଜ୍ୟ ସରକାର ଏଥିପାଇଁ କେବେ ପ୍ଲାନ ଦେବେ ଏବଂ କେତେ ଅର୍ଥ ବ୍ୟବସ୍ଥା କରିଛନ୍ତି ତାହାର ଯବାବ ଦେବା ଦରକାର। ଖୋର୍ଦ୍ଧାରୁ ଭୁବନେଶ୍ୱର ରାସ୍ତା କାମ ସମ୍ପୂର୍ଣ୍ଣ ହୋଇଛି। ଜନସାଧାରଣଙ୍କ ଆବଶ୍ୟକତା ଏବଂ ଆଗ୍ରହ ନେଇ ବିଭିନ୍ନ ଅତିରିକ୍ତ କାମ ହେଉଛି। ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ରାମେଶ୍ୱରଠାରୁ ଟାଙ୍ଗି ପର୍ଯ୍ୟନ୍ତ ୧୦୧କି.ମି. କ୍ୟାପିଟାଲ ରିଜନ୍‌ ରିଙ୍ଗ୍‌ ରୋଡ (ସିଆର୍‌ଆର୍‌ଆର୍‌) ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଓଡ଼ିଶାରେ ନେଟୱାର୍କ ସମସ୍ୟା ପାଇଁ ରାଜ୍ୟ ସରକାର କେବେ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବ୍ୟାଙ୍କିଂ ସେକ୍ଟରରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଶେଷ ସମସ୍ୟା ନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅପରାଜିତା କହିଥିବା ତଥ୍ୟ ସତ୍ୟ । ଶ୍ରୀମନ୍ଦିର ସୁରକ୍ଷା ଆମ ପାଇଁ ପ୍ରାଥମିକତା ଥିଲା। ଏମ୍‌ପିଙ୍କ ପ୍ରୟାସ ପରେ ହିଁ ରାଜ୍ୟ ସରକାର ଏଏମଏସଏଆର ଆକ୍ଟ-୧୯୫୮ଅନୁଯାୟୀ ନିର୍ମାଣ କାର୍ଯ୍ୟ ୧୦୦ମିଟର ବାହାରକୁ ନେଇଛନ୍ତି ଏବଂ ଏନ୍‌ଏମ୍‌ଏ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ପ୍ଲାନ ଅନୁମୋଦନ ପରେ ନିର୍ମାଣ କରାଯାଉଛି। ଏମ୍‌ପିଙ୍କ ପ୍ରୟାସରେ ହିଁ ସମସ୍ୟା ଦୂରୀକରଣ ହୋଇ ମନ୍ଦିର ସୁରକ୍ଷାକୁ ପ୍ରାଥମିକତା ନେଇ ନିର୍ମାଣ ପ୍ରକ୍ରିୟା ହେଉଛି ା ମିଥ୍ୟା ଆରୋପ ଅଭିଯୋଗ କରି ଲୋକଙ୍କୁ ଭୂଆଁ ବୁଲାଇବା ଗଣତନ୍ତ୍ରରେ ସମିଚିନ ନୁହେଁ। ଏଥିରୁ ନିବୃତ ରହିବାକୁ ବାବୁ ସିଂ କହିଛନ୍ତି।

Share