ଏସବୁ ସ୍ଥାନରେ ବିଜେଡି ଦୁର୍ଗ ଭାଙ୍ଗିଲା

ଭୁବନେଶ୍ୱର,୫ା୬(ଅନିଲ ଦାସ):ଦୀର୍ଘ ୨୪ ବର୍ଷ ବିଜେଡି ଶାସନର ଦୁର୍ଗ ଭୁଶଡ଼ି ପଡ଼ିଛି। ଅନ୍ୟପକ୍ଷରେ ଅପ୍ରତ୍ୟାଶିତ ଭାବେ ଭାଜପା ଲୋକ ସଭାରେ ୧୯ ଓ ବିଧାନସଭାରେ ୭୮ ଆସନରେ ବିଜୟୀ ହୋଇ ରାଜ୍ୟରେ କ୍ଷମତା ଦଖଲ କରିଛି। ବିଜେଡିକୁ ବିଧାନସଭାରେ ମାତ୍ର ୫୧ ଏବଂ ଲୋକ ସଭା କ୍ଷେତ୍ରରେ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଦୁଇ ଦଶନ୍ଧିରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଲୋକଙ୍କୁ ଆଉ ବାନ୍ଧି ରଖି ପାରିନାହିଁ। ବିଜେଡି ଇସ୍ତାହାରରେ ମନଲୋଭା ଘୋଷଣା ସାଙ୍ଗକୁ ମାଗଣା ବିଜୁଳି ଲୋକଙ୍କ ଉପରେ କିଛି ଫରକ ପକାଇ ପାରିନାହିଁ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭକରି ମନ୍ତ୍ରୀ ଓ ଦଳର ହେବିଓ୍ବେଟ ନେତାଙ୍କୁ ପରାଜୟବରଣ କରିବାକୁ ପଡ଼ିଛି। ୨୦୧୯ ନିର୍ବାଚନରେ ବିଜେଡି ବିଧାନସଭାରେ ୧୧୨ଟି ଆସନରେ ବିଜୟୀ ହୋଇଥିଲା ବେଳେ ଚଳିତ ନିର୍ବାଚନରେ ଧରାଶାୟୀ ହୋଇଯାଇଛି। ଦଳକୁ ମାତ୍ର ୫୧ଟି ଆସନ ମିଳିିଛି। ଏହି ନିର୍ବାଚନରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଦୀପ ଅମାତ୍‌, ପ୍ରଫୁଲ୍ଲ ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ରୀତା ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ସୁଦାମ ମାର୍ଣ୍ଡି ପ୍ରମୁଖ ପରାଜିତ ହୋଇଛନ୍ତି। ଏଥିସହିତ ପୂର୍ବତନ ମନ୍ତ୍ରୀ ତଥା ବିଜେଡିିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ ମୁଦୁଲି, ପ୍ରଫୁଲ୍ଲ ସାମଲ, ସଞ୍ଜୟ ଦାସବର୍ମା, ଉମାକାନ୍ତ ସାମନ୍ତରାୟଙ୍କୁ ମଧ୍ୟ ପରାଜିତର ମୁହଁ ଦେଖିବାକୁ ପଡ଼ିଛି। ମାତ୍ର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ କେଶରୀ ଦେବ, ସାରଦା ନାୟକ, ଅଶ୍ୱିନୀ ପାତ୍ର, ତୁଷାରକାନ୍ତି ବେହେରା, ରାଜେନ୍ଦ୍ର ଢୋଲକିଆଙ୍କ ସମେତ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ବଦ୍ରିନାରାୟଣ ପାତ୍ର ନିଜ ଆସନ ବଞ୍ଚାଇବାରେ ସଫଳ ହୋଇଛନ୍ତି।
ସେହିପରି ଭୁବନେଶ୍ୱର-ଏକାମ୍ରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ହରାଇ ଭାଜପାର ବାବୁ ସିଂ ବିଜୟୀ ହୋଇଛନ୍ତି। ବୌଦ୍ଧରୁ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ପରାସ୍ତ କରି ଭାଜପା ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ହୋଇଛନ୍ତି। ଟିଟିଲାଗଡ଼ ଆସନରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ଭାଜପା ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି। କରଞ୍ଜିଆରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପରାଜିତ କରି ଭାଜପା ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ଜିତିଛନ୍ତି। ରାଉରକେଲା ଆସନରୁ ପ୍ରାର୍ଥୀ ହୋଇଥିବା ଭାଜପାର ହାଇପ୍ରୋଫାଇଲ ନେତା ଦିଲ୍ଲୀପ ରାୟଙ୍କୁ ମନ୍ତ୍ରୀ ସାରଦା ନାୟକ ପରାସ୍ତ କରିଥିବା ବେଳେ ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ପରାସ୍ତ ହେବାକୁ ପଡ଼ିଛି। ମାହାଙ୍ଗାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ନିଜେ ନ ଲଢ଼ି ପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କୁ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ମାତ୍ର ସେ ପରାସ୍ତ ହୋଇଛନ୍ତି। ମାହାଙ୍ଗା ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନ ବିଜୟୀ ହୋଇଛନ୍ତି। ସେହିପରି ଧର୍ମଶାଳାରେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ସ୍ବାଧୀନ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ପରାସ୍ତ କରିଛନ୍ତି।
ଚଳିତ ନିର୍ବାଚନରେ ବିଜେଡି ଲୋକ ସଭା କ୍ଷେତ୍ରରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ୨୦୧୯ ନିର୍ବାଚନରେ ବିଜେଡି ୧୨ଟି ଲୋକ ସଭା ଆସନ ହାସଲ କରିଥିବା ବେଳେ ଚଳିତ ନିର୍ବାଚନରେ କୌଣସି ଆସନ ପାଇନାହିଁ। ଲୋକ ସଭାରେ ବିଜେଡିର ସମସ୍ତ ନେତା ପରାଜିତ ହୋଇଛନ୍ତି। ସମ୍ବଲପୁରରୁ ହେବିଓ୍ବେଟ୍‌ ନେତା ପ୍ରଣବ ପ୍ରକାଶ ଦାସ (ବବି), କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ପୁରୀରୁ ଅରୂପ ପଟ୍ଟନାୟକ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, ଢେଙ୍କାନାଳରୁ ଅବିନାଶ ସାମଲ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ବାଲେଶ୍ୱରରୁ ଲେଖାଶ୍ରୀ ସାମନ୍ତସିଂହାର, କଟକରୁ ସଂତୃପ୍ତ ମିଶ୍ର ପ୍ରମୁଖ ପରାଜୟବରଣ କରିଛନ୍ତି।
ଅନ୍ୟପକ୍ଷରେ ଲୋକ ସଭା କ୍ଷେତ୍ରରେ ଭାଜପାର ହେଭିଓ୍ବେଟ ନେତା ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ରୁଦ୍ର ନାରାୟଣ ପାଣି, ସଙ୍ଗୀତା କୁମାରୀ ସିଂଦେଓ, ପ୍ରଦୀପ ପୁରୋହିତ ପ୍ରମୁଖ ବିଜୟୀ ହେବାରେ ସଫଳ ହୋଇଛନ୍ତି। ତେବେ ଅନ୍ୟ ଦଳରୁ ଆସି ଭାଜପା ଟିକେଟରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ଭର୍ତ୍ତୃହରି ମହତାବ, ବିଭୁ ପ୍ରସାଦ ତରାଇ, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ନିର୍ବାଚନରେ ବିଜୟୀ ହୋଇଛନ୍ତି।
କଂଗ୍ରେସ ଗତ ନିର୍ବାଚନଠାରୁ ବିଧାନସଭାରେ ସାମାନ୍ୟ ଉନ୍ନତି କରିଛି। ଦଳ ୨୦୧୯ରେ ବିଧାନସଭା କ୍ଷେତ୍ରରେ ୯ଟି ସିଟ୍‌ ହାତେଇଥିବା ବେଳେ ଚଳିତ ନିର୍ବାଚନରେ ଖବରଲେଖା ହେବା ଯାଏ ୧୪ଟି ଆସନରେ ଆଗରେ ରହିଛି। ତେବେ ଦଳର ଅନେକ ବରିଷ୍ଠ ନେତା ପରାଜିତ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କଠାରୁ ପରାଜିତ ହୋଇଛନ୍ତି। ନର୍ଲା ବିଧାନସଭାରୁ ପ୍ରାର୍ଥୀ ହୋଇଥିବା ଭକ୍ତ ଚରଣ ଦାସଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମନୋରମା ମହାନ୍ତିଙ୍କଠାରୁ ୫,୨୦୫ ଭୋଟ ବ୍ୟବଧାନରେ ହାରି ଯାଇଛନ୍ତି। ପୂର୍ବତନ ମନ୍ତ୍ରୀ ତଥା କଗ୍ରେସର ବରିଷ୍ଠ ନେତା ଜୟଦେବ ଯେନା ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଛନ୍ତି। ଲୋକ ସଭା କ୍ଷେତ୍ରରେ କଂଗ୍ରେସ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଗତ ନିର୍ବାଚନ ଭଳି ଦଳ କେବଳ କୋରାପୁଟ ଲୋକ ସଭା ଆସନ ବଞ୍ଚାଇବାରେ ସଫଳ ହୋଇଛି। ସେଠାରେ ଏମ୍‌ପି ଥିବା ସପ୍ତଗିରି ଉଲ୍ଲାକା ପୁଣି ବିଜୟ ଲାଭ କରି ନିଜ ଆସନ ବଞ୍ଚାଇଛନ୍ତି। ତେବେ ବାଲେଶ୍ୱର ଲୋକ ସଭା ପାଇଁ ଲଢୁଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ପରାଜୟବରଣ କରିଛନ୍ତି। ବଣାଇ ଆସନରେ ସିପିଆଇ(ଏମ୍‌) ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ନିଜ ଗଡ଼ ବଞ୍ଚାଇବରେ ସଫଳ ହୋଇଛନ୍ତି।
ବିଜେଡିର କେତେକ ବରିଷ୍ଠ ନେତା ନିଜେ ନର୍ବାଚନ ନ ଲଢ଼ି ସ୍ତ୍ରୀଙ୍କୁ ନେଇ ଭାଗ୍ୟ ପରୀକ୍ଷା କରୁଥିଲେ ମଧ୍ୟ ଭୋଟର ସେମାନଙ୍କୁ ପ୍ରତ୍ୟାଖ୍ୟାତ କରିଛନ୍ତି। କେବଳ ବାଲେଶ୍ୱର ଜିଲା ବସ୍ତା ବିଧାନସଭା ପାଇଁ ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସୁବାସିନୀ ଜେନା ବିଜୟୀ ହୋଇଥିବା ବେଳେ ଜଗତ୍‌ସିଂହପୁର ଜିଲା ପାରାଦୀପରୁ ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ସ୍ତ୍ରୀ ଗୀତାଞ୍ଜଳି ରାଉତରାୟ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ ସ୍ତ୍ରୀ ସଂଯୁକ୍ତା ସିଂ, ମୟୂରଭଞ୍ଜ ଜିଲା ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନ୍‌ଗୋ, ବଡ଼ସାହିରୁ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସ୍ତ୍ରୀ ଅନସୂୟା ପାତ୍ର, କୋରାପୁଟ ଜିଲା ଜୟପୁରରୁ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ସ୍ତ୍ରୀ ଇନ୍ଦିରା ନନ୍ଦ ପରାଜିତ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ସଂଘମିତ୍ରା ସ୍ବାଇଁ, କଳାହାଣ୍ଡି ଜିଲା ଭବାନୀପାଟଣାରୁ ଦୁଷ୍ମନ୍ତ ନାୟକଙ୍କ ସ୍ତ୍ରୀ ଲତିକା ନାଏକ, ନବରଙ୍ଗପୁର ବିଧାୟକ ସଦାଶିବ ପଧାନୀଙ୍କ ସ୍ତ୍ରୀ କୌଶଲ୍ୟା ପଧାନୀ, ନବରଙ୍ଗପୁର ଜିଲା ଉମରକୋଟରୁ ସୁବାସ ଗଣ୍ଡଙ୍କ ସ୍ତ୍ରୀ ନବୀନା ନାୟକ, ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସ୍ତ୍ରୀ ରଞ୍ଜିତା ମାର୍ଣ୍ଡିଙ୍କୁ ବାଙ୍ଗିରିପୋଷି ଏବଂ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ସ୍ତ୍ରୀ ଅର୍ଚ୍ଚନା ରେଖା ବେହେରା ପରାଜିତ ହୋଇଛନ୍ତି। ବିଜେଡିରୁ ଟିକେଟ ପାଇଥିବା ଅଳ୍ପ କେତେ ଜଣଙ୍କୁ ବାଦ୍‌ ଦେଲେ ଅନେକ ମହିଳା ପ୍ରଥମ ଥର ପାଇଁ ରାଜନୈତିକ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି। ସ୍ଥାନୀୟ ଅଞ୍ଚଳରେ ବିଧାୟକ ଭାବରେ ତୃଣମୂଳସ୍ତରରେ ଥିବା ଅସନ୍ତୋଷକୁ ଏଡ଼ାଇବା ସହ ବିରୋଧୀ ଗୋଷ୍ଠୀଙ୍କୁ ମଧ୍ୟ ଦଳ ମ୍ୟାନେଜ୍‌ କରି ବିଜେଡି ମହିଳା ଭୋଟ ବ୍ୟାଙ୍କ ହାତେଇବା ପାଇଁ ଯେଉଁ ରଣନୀତି ଆପଣାଇ ଥିଲା ତାହା ଫେଲ୍‌ ମାରିଛି।

Share