‘୨୧ ବର୍ଷରେ ମା, ଭଉଣୀଙ୍କୁ ସୁରକ୍ଷା ଦେବାରେ ବିଜେଡି ବିଫଳ’

ଭୁବନେଶ୍ୱର,୯।୩(ବ୍ୟୁରୋ): ଗତ ୨୧ବର୍ଷ ଶାସନ କାଳରେ ରାଜ୍ୟରେ କେତେଜଣ ମହିଳାଙ୍କ କୋଳ ଖାଲି ହୋଇଛି ଏବଂ କେତେ ନାବାଳିକା ବଳାତ୍କାର ଓ ହତ୍ୟାର ଶିକାର ହୋଇଛନ୍ତି। ଦାଦନ ଖଟିବାକୁ କେତେ ଲକ୍ଷ ଓଡ଼ିଆ ବାହାରକୁ ଯାଇଛନ୍ତି ଏବଂ ଏହି କାରଣରୁ କେତେ ମା’ଙ୍କ ଆଖିରୁ ଲୁହ ଝରୁଛି, ସ୍ବୟଂ ସହାୟକ ଗୋଷ୍ଠୀ କେବଳ ଦଳୀୟ ଆଧାରରେ ହୋଇଛି ନା ସାଧାରଣ ମହିଳାଙ୍କୁ ନେଇ ଗଠନ ହୋଇଛି, ସ୍ବୟଂ ସହାୟକ ଗୋଷ୍ଠୀ ଗଠନର ଲକ୍ଷ୍ୟ କେବଳ ଭୋଟବ୍ୟାଙ୍କ ନୁହେଁ କି ବୋଲି ଏମିତି କେତେକ ପ୍ରଶ୍ନ ପଚାରି ଶାସକ ବିଜେଡିକୁ ଭାଜପା ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଟାର୍ଗେଟ କରିଛନ୍ତି।
ଭାଜପା ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସରେ ସ୍ମୃତି କହିଛନ୍ତି, ଦୀର୍ଘ ୨୧ ବର୍ଷର ଶାସନ ପରେ ମଧ୍ୟ ବିଜେଡି ରାଜ୍ୟର ମା’ ଓ ଭଉଣୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇଛି। ତଥାପି ଓଡ଼ିଶା ମା’ ଓ ଭଉଣୀ ମାଗୁଛନ୍ତି ତାଙ୍କ ସମ୍ମାନ ଓ ସ୍ବାଭିମାନ। ଏଭଳିଭାବେ ବସି ରହିଲେ ଆସନ୍ତା ଦିନରେ ବିଜେଡି ସରକାରକୁ ବଙ୍ଗୋପସାଗରରେ ଫୋପାଡ଼ିଦେବାକୁ ଜନସାଧାରଣ ପଛେଇବେ ନାହିଁ ବୋଲି ସ୍ମୃତି କହିଛନ୍ତି। ଅନ୍ୟପଟେ ମହାମାରୀ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କୁ ଗୁରୁତ୍ୱ ଦେଇ ମାଗଣା ରୋଷେଇ ଗ୍ୟାସ୍‌ ବଣ୍ଟନ କରିଥିଲେ। ଏପରିକି ଚଳିତ ଆର୍ଥିକ ବର୍ଷ ବଜେଟରେ ମାଗଣ ଗ୍ୟାସ୍‌ ବଣ୍ଟନ ପାଇଁ ଅର୍ଥ ବରାଦ କରିଛନ୍ତି। ବିଶ୍ୱ ମହିଳା ଦିବସ ଅବସରରେ ମହିଳା ମୋର୍ଚ୍ଚା ତରଫରୁ ଏକ ପଦଯାତ୍ରା ରାଜ୍ୟ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲା ଏହି ଅବସରରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନିତ କରାଯାଇଛି।

Share