ମନୋରମାଙ୍କ ଉପରେ ଭରସା, କଟିଲେ ଭୂପିନ୍ଦର

ଭବାନୀପାଟଣା,୧୧।୪(ଉତ୍ତମ କୁମାର ଦାଶ): ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି କ୍ରମରେ କଳାହାଣ୍ଡିରେ ବିଜେଡି ପୁଣି ମହିଳା କାର୍ଡ ଖେଳିଛି।

ଜିଲାର ନର୍ଲା ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥିନୀ ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ଦଳ ଟିକେଟ ଦେଇଛି। ଅନ୍ୟପକ୍ଷେ ବର୍ତ୍ତମାନ ବିଧାୟକ ଥିବା ଭୂପିନ୍ଦର ସିଂହଙ୍କୁ ଟିକେଟ କାଟି ମନୋରମାଙ୍କୁ ଭରସା କରିଛି ଦଳ। ଏହା ପୂର୍ବରୁ ବିଜେଡି ମହିଳା କାର୍ଡ ଖେଳି ଭବାନୀପାଟଣା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥିନୀ ଭାବେ ଲଳିତା ନାଏକଙ୍କୁ ଟିକେଟ ଦେଇସାରିଛି।

ଜିଲାରେ ୫ଟି ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ୨ଟି ବିଧାନସଭା କ୍ଷେତ୍ରରେ ମହିଳାଙ୍କୁ ସୁଯୋଗ ଦେଇଛି। ମନୋରମାଙ୍କୁ ଟିକେଟ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସମର୍ଥକମାନେ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ବାଗତ କରିଛନ୍ତି।

ମନୋରମା ପୂର୍ବରୁ ନର୍ଲା ବ୍ଲକ ଅଧ୍ୟକ୍ଷା ରହିଥିବାବେଳେ ଏଥର ମଧ୍ୟ ବ୍ଲକ ଅଧ୍ୟକ୍ଷା ରହିଛନ୍ତି। ତାଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତି ମଧ୍ୟ ବର୍ତ୍ତମାନ ବ୍ଲକ ଉପାଧ୍ୟକ୍ଷ ରହିଛନ୍ତି। ଚଳିତ ନିର୍ବାଚନରେ ନର୍ଲାରେ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ଅନିରୁଦ୍ଧ ପଧାନ, କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଟିକେଟ ପାଇଛନ୍ତି। ବର୍ତ୍ତମାନ ବିଜେଡି ମନୋରମାଙ୍କୁ ଟିକେଟ ଦେବାପରେ ଏଠାରେ ତ୍ରିମୁଖୀ ଲଢେଇ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।

Share