ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଫେରିଗଲା ୬ ଲକ୍ଷ ୫୬ ହଜାର ପକ୍କା ଘର

ଭୁବନେଶ୍ୱର,୩୧।୭(ଅନିଲ ଦାସ): ପୂର୍ବର ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଲୋକେ ଘର ପାଇଲେନି। ବେପରୁଆ କାମ ଯୋଗୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି। ଭାଜପା ସଭ୍ୟ ମାନସ ଦତ୍ତଙ୍କ ଏକ ଲିଖିତ ପ୍ରଶ୍ନରେ ଉତ୍ତର ରଖି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମଙ୍ଗଳବାର ବିଧାନସଭାରେ କହିଛନ୍ତି, ୨୦୧୬ରୁ ୨୦୨୪ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦିଆଯାଇ ନ ଥିବାରୁ ପକ୍କା ଘର ଫେରିଯାଇଛି। ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ପକ୍କା ଘର ନିର୍ମାଣ ଶେଷ ହୋଇଥିବାବେଳେ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣାଧୀନ ରହିଛି। ମଞ୍ଜୁର ହୋଇଥିବା ୩୨ ହଜାର ୯୧୩ ପକ୍କା ଘର କାମ ଆରମ୍ଭ ହୋଇପାରି ନାହିଁ। ଓଡ଼ିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି। ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବାସ ପାଇଁ ଆବେଦନ କରି ଘର ଅପେକ୍ଷାରେ ଅଛନ୍ତି।

Share