ବିରୋଧ କାମ ଦେଲାନି, ଦାମଙ୍କ ପରିବାରକୁ ଟିକେଟ

ପାରାଦୀପ ୧୨।୪(ଶରତ ରାଉତ):ପାରାଦୀପ ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏହି ଖବର ଜଣାପଡ଼ିବା ପରେ ସମ୍ବିତଙ୍କ ସମର୍ଥକମାନେ ଷଣ୍ଢକୁଦ ବସ୍ତିରେ ବାଣ ଫୁଟାଇଛନ୍ତି। ଅପରପକ୍ଷେ ଦାମୋଦର ରାଉତଙ୍କ ପରିବାରକୁ ବିରୋଧ କରୁଥିବା ଗୋଷ୍ଠୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖିବାକୁ ମିଳିଛି। ଏହି ଆସନ ପାଇଁ ବିଜେଡି ମହିଳା କାର୍ଡ ଖେଳିଥିବା ଚର୍ଚ୍ଚା ହୋଇଛି। ଗୀତାଞ୍ଜଳିଙ୍କ ନାମ ଘୋଷଣା ପରେ ଆଶାୟୀ ଦୌଡ଼ରେ ଥିବା ପୌରାଧ୍ୟକ୍ଷ ତଥା ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳ, ସଦ୍ୟ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ବାପି ସର୍ଖେଲଙ୍କ ସ୍ତ୍ରୀ ମୋନିଦୀପା ନିରାଶ ହୋଇଛନ୍ତି। ଦାମୋଦର ରାଉତଙ୍କ ପରିବାରରୁ କାହାକୁ ପ୍ରାର୍ଥୀ ନ କରିବା ପାଇଁ କୁଜଙ୍ଗ, ରାହାମା, ପାରାଦୀପ ଅଞ୍ଚଳରେ ଅସନ୍ତୁଷ୍ଟ ଦଳୀୟ କର୍ମୀମାନେ ୧୦ ରୁ ଅଧିକ ଥର ବୈଠକ କରିଥିଲେ। ଏପରିକି ନବୀନ ନିବାସ ଓ ଶଙ୍ଖ ଭବନରେ ମଧ୍ୟ ବିରୋଧ କରିଥିଲେ। ବୁଧବାର ଉଭୟ ପକ୍ଷ ଜିଲା ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ପାଖରେ ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ। ଏସବୁ ପରେ ପ୍ରାର୍ଥୀ ବଦଳ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିଲା। ମାତ୍ର ଗୀତାଞ୍ଜଳିଙ୍କ ନାମ ଘୋଷଣା ପରେ ବିରୋଧ କରୁଥିବା ଦଳୀୟ କର୍ମୀମାନେ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

Share