ଖଣି କମ୍ପାନୀର ଟଙ୍କାରେ ବିଜେଡି ହୋଇଛି ଧନୀ, ଏହି ପରିଚିତ କମ୍ପାନୀରୁ ମିଳିଛି ପୁଳାପୁଳା ଚାନ୍ଦା

ଭୁବନେଶ୍ୱର,୨୨।୩: ଖଣି କମ୍ପାନୀଗୁଡିକରୁ ଚାନ୍ଦାରେ ପୁଳାପୁଳା ଟଙ୍କା ପାଇଛି ବିଜେଡି। ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ପାଇବାରେ ବିଜେଡି ଦେଶର ପଞ୍ଚମମ ସର୍ବାଧିକ ପାଣ୍ଠି ହାସଲକାରୀ ଦଳ ପାଲଟିଛି। ବିଜେଡିକୁ ବିଶେଷକରି ଏସେଲ ମାଇନିଂ, ରୁଙ୍ଗଟା ସନ୍ସ, ରଶ୍ମୀ ମେଟାଲିକ୍ସ, ବେଦାନ୍ତ, ମେସର୍ସ ଏସଏନ ମହାନ୍ତି, ଉତ୍କଳ ଆଲୁମିନା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଜିନ୍ଦଲ ଷ୍ଟେନଲେସ ଲିଃ ଭଳି କମ୍ପାନୀଠୁ କୋଟି କୋଟି ଟଙ୍କାର ଚାନ୍ଦା ନିର୍ବାଚନୀ ପାଣ୍ଠି ଆକାରରେ ମିଳିଛି। ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଆଜି ନିର୍ବାଚନ କମିଶନଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିବା ନିର୍ବାଚନୀ ବଣ୍ଡରୁ ଏହା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କ୍ଷମତାସୀନ ବିଜେଡିକୁ ୨୦୧୯ ଜୁଲାଇ ୮ରୁ ୨୦୨୩ ନଭେମ୍ବର ୨୦ତାରିଖ ମଧ୍ୟରେ ୯୪୪.୫୦କୋଟି ଟଙ୍କାର ଚାନ୍ଦା ମିଳିଛି। ବିଜେଡିକୁ ଚାନ୍ଦା ଆକାରରେ ସର୍ବାଧିକ ଏସେଲ ମାଇନିଂ ଠାରୁୁ ୧୭୪.୫୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ମିଳିଛି। ସେହିପରି ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ ୨୦୨୧ ଏପ୍ରିଲ ୫ତାରିଖରେ ୫୦କୋଟି ଟଙ୍କା(୫୦ଟି ବଣ୍ଡ) କିଣିଛି।

ସେହିପରି ବେଦାନ୍ତ ଲିମିଟେଡ ୪୦କୋଟି ଟଙ୍କା ଦେଇଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ୨୦୨୩ ଅକ୍ଟୋବର ୧୫ରେ ୨୫କୋଟି ଟଙ୍କା, ୨୦୨୩ ଜୁଲାଇ ୪ରେ ୫୦କୋଟି ଟଙ୍କା ଓ ୨୦୨୨ ଅକ୍ଟୋବର ୭ରେ ୨୫କୋଟି ଟଙ୍କା ଏଭଳି ମୋଟ ୧୦୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। ଜିନ୍ଦଲ ଷ୍ଟେନଲେସ ଲିଃ ୨୦୨୩ ଜୁଲାଇରେ ୧୦କୋଟି ଓ ୨୦୨୨ ଜୁଲାଇ ୧ରେ ୨୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ବିଜେଡିକୁ ଦେଇଥିବା ଜଣାପଡିଛି।

Share