ଘରେ ଘରେ ଶଙ୍ଖ ପହଞ୍ଚାଇବାକୁ ନବୀନଙ୍କ ଆହ୍ବାନ

ଭୁବନେଶ୍ୱର,୫ା୯(ଅନିଲ ଦାସ):ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲେଣି। ତୃଣମୂଳ ସଙ୍ଗଠନକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଟାଣୁଆ ନେତାଙ୍କୁ ନିଜ ସପକ୍ଷରେ ନେବାକୁ କସରତ ମଧ୍ୟ ଆରମ୍ଭ ହୋଇଛି। ବିଜେଡି ଆଗାମୀ ନିର୍ବାଚନ ରୋଡମ୍ୟାପ ପ୍ରସ୍ତୁତ କରିଛି। ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ବିଜେଡିର ପର୍ଯ୍ୟବେକ୍ଷକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ସମସ୍ତ ଜିଲା ପର୍ଯ୍ୟବେକ୍ଷକ, ଛାମୁଆ ସଙ୍ଗଠନର ସଭାପତି ଓ ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ତୃଣମୂଳ ସ୍ତରରେ ସଙ୍ଗଠନକୁ କିପରି ଅଧିକ ମଜଭୁତ କରିହେବ ସେନେଇ କାର୍ଯ୍ୟ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡିର ପଦଯାତ୍ରା ଆରମ୍ଭ ହେବ। ସେହି ସମୟରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସହ ଦଳୀୟ ନେତାମାନେ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ନବୀନ ଜିଲା ପର୍ଯ୍ୟବେକ୍ଷକଙ୍କଠାରୁ ଜିଲାରେ ସାଙ୍ଗଠନିକ ସ୍ଥିତି କ’ଣ ରହିଛି ସେ ନେଇ ପଚାରି ବୁଝିଛନ୍ତି। ବୈଠକ ଶେଷରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ସାଙ୍ଗଠନିକ ପ୍ରକ୍ରିୟାକୁ କିପରି ଅଧିକ ଶାଣିତ କରାଯାଇ ପାରିବ ସେ ନେଇ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ଏମ୍‌ପି ମାନସ ମଙ୍ଗରାଜ, ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ପ୍ରଣବ ବଳବନ୍ତରାୟ, ସୁଧୀର ସାମଲ, ବ୍ୟୋମକେଶ ରାୟ, ପଦ୍ମନାଭ ବେହେରା, ଦେବେଶ ଆଚାର୍ଯ୍ୟ, ଅରୁଣ ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ଦେବୀ ରଞ୍ଜନ ତ୍ରିପାଠୀ, ସୁଶାନ୍ତ ସିଂହଙ୍କ ସମେତ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।

Share