
ଛତ୍ରପୁର,୧ା୩(ସନ୍ତୋଷ ପାଢ଼ୀ):ଗଞ୍ଜାମ ଜିଲା ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଦୀର୍ଘବର୍ଷ ଧରି ସିପିଆଇ କବ୍ଜାରେ ଥିଲା। ସିପିଆଇର ଏହି ଗଡ଼କୁ ଭାଙ୍ଗି ବିଜେଡି ୨୦୧୪ ଓ ୨୦୧୯ ନିର୍ବାଚନରେ ନିଜ ଦଖଲକୁ ଆଣିଥିଲା। ୨୦୨୪ ନିର୍ବାଚନରେ ଏଠାରେ ଭାଜପା ବାଜିମାତ କରିଥିଲା। ଭାଜପାରୁ କୃଷ୍ଣଚନ୍ଦ୍ର ନାୟକ ବିଧାୟକ ନିର୍ବାଚିତ ହେବା ପରଠୁ ବିଜେଡିର ବହୁ ଆଗଧାଡିର ଓ ପୁରୁଖା ନେତା, ସେମାନଙ୍କ ସମର୍ଥିତ ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର ଏବଂ ବହୁ କର୍ମୀ ଦଳ ଛାଡିବାରେ ଲାଗିଛନ୍ତି । ସେମାନେ ଭାଜପାରେ ସାମିଲ ହେଉଥିବା ଦେଖାଯାଉଛି। ଯଦ୍ଦ୍ବାରା ଭାଜପା ଅଧିକ ସୁଦୃଢ ହେଉଥିବା ବେଳେ ବିଜେଡି ଗଡ଼ ଭୁଶୁଡିଚାଲିଛି। ନିର୍ବାଚନମଣ୍ଡଳୀ ଅଧୀନ ୩ ଏନ୍ଏସି ଯଥା ଛତ୍ରପୁର, ଗଞ୍ଜାମ ଓ ରମ୍ଭାରେ ଅଧ୍ୟକ୍ଷା ଭାଜପାର ଅଛନ୍ତି।
୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଛତ୍ରପୁରରୁ ସୁବାସଙ୍କୁ ପ୍ରାର୍ଥୀ କରିବା ଏବଂ ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପାରୁ ଆସିଥିବା ତଥା ବାହାର ଜ଼ିଲାର ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିବାରୁ ଦଳରେ ବିରୋଧାଭାସ ଦେଖାଯାଇଥିଲା। ଏପରିକି କେତେଜଣ ଦଳ ମଧ୍ୟ ଛାଡିଥିଲେ। ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ ଛତ୍ରପୁର ବିଧାୟକ ରାମଚନ୍ଦ୍ର ପଣ୍ଡା ଓ ତାଙ୍କର ବହୁ ସମର୍ଥକ ଦଳ ଛାଡି ଭାଜପାରେ ମିଶିବା ବିଜେଡ଼ିକୁ ଶକ୍ତ ଧକ୍କା ଦେଇଥିଲା। ନିର୍ବାଚନ ପରେ ଭାଜପା ପକ୍ଷରୁ ସୁନ୍ଦରପୁର ଓ ଛତ୍ରପୁର ସହରରେ ୨ଟି ମିଶ୍ରଣ ପର୍ବ ଆୟୋଜନ କରାଗଲାଣି। ସେଥିରେ ବିଜେଡିର ବହୁ ନେତା ଓ ପଞ୍ଚାୟତ ଜନପ୍ରତିନିଧି ଭାଜପାରେ ସାମିଲ ହୋଇଛନ୍ତି। ଛତ୍ରପୁର ସହରରେ ହୋଇଥିବା ମିଶ୍ରଣ ପର୍ବରେ ବିଜେଡିର ବହୁ ସଂଖ୍ୟକ ପଞ୍ଚାୟତ ପ୍ରତିନିଧି ଭାଜପାରେ ମିଶିଛନ୍ତି। ତେଣୁ ଏଠାରେ ବିଜେଡି ଗଡ଼ ଭୁଶୁଡ଼ିଲାଣି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ବିଶେଷକରି ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ, ପୂର୍ବତନ ଜ଼ିଲା ପରିଷଦ ସଭ୍ୟ ଓ ସରପଞ୍ଚ ଏସ. କିଶୋର ରେଡ୍ଡୀ, ପୂର୍ବତନ ସରପଞ୍ଚ ଅଶୋକ ପାଣିଗ୍ରାହୀ,ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ, ବାପି ଦାସ, ଅଗସ୍ତିନୂଆଗାଁ ସରପଞ୍ଚ ଊର୍ମିଳା ଦାସଙ୍କ ସମେତ ବହୁ ସମିତିସଭ୍ୟ, ସରପଞ୍ଚ ଏବଂ ପୂର୍ବତନ ସମିତିସଭ୍ୟ, ସରପଞ୍ଚ ବିଜେଡ଼ି ଛାଡି ଭାଜପାରେ ଯୋଗ ଦେଇଛନ୍ତି। ପ୍ରାୟ ସମସ୍ତେ ରାଜନୀତିରେ ବେଶ ଅଭିଜ୍ଞ। ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଛତ୍ରପୁରରୁ ବିଜେଡ଼ିକୁ ମୂଳପୋଛ କରିଦେବାକୁ ଭାଜପା ଟାର୍ଗେଟ ରଖିଛି। ବିଧାୟକ ପ୍ରତିଦିନ ନିର୍ବାଚନମଣ୍ଡଳୀ ବୁଲୁଥିବା ଦେଖିବାକୁ ମିଳୁଛି। ଗତ ପଞ୍ଚାୟତ ନିର୍ବାଚନ ବେଳେ ନିଜ ଦଳର ବିଧାୟକ ସୁବାସଙ୍କୁ ଚ୍ୟାଲେଞ୍ଜ ଦେଇ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ବିଜୟୀ ହୋଇଥିଲେ। କିନ୍ତୁ ବିଜେଡ଼ିର ସେହି ଗେମ ଚେଞ୍ଜର ଗୋଷ୍ଠୀ ଏବଂ ବ୍ଲକ ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ ଏବେ ଭାଜପା ଶିବିରରେ ପହଞ୍ଚିଛନ୍ତି। ନିର୍ବାଚନ ହାରିବା ପରେ ସୁବାସ ଆଉ ସେଭଳି ନିର୍ବାଚନ ମଣ୍ଡଳୀରେ ବୁଲୁନାହାନ୍ତି। କାଁ ଭାଁ ହାତଗଣତି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।