ତାସ୍‌ ଘର ଭଳି ବିଜେଡି ଭୁଶୁଡ଼ି ଚାଲିଛି : ମୋକିମ୍‌

ଜଗତ୍‌ସିଂହପୁର, ୨୦।୧୦(ପ୍ରମୋଦ କୁମାର ନାୟକ):ବିଜେଡି ୨୪ ବର୍ଷ କାଳ ଶାସନ କଲା। ଶାସନରୁ ଯିବା ୩ ମାସ ହେଇଛି କି ନାହିଁ ବିଜେଡି ତାସ ଘର ଭଳି ଧୀରେ ଧୀରେ ଭୁଶୁଡ଼ି ଚାଲିଛି। ଏଥିରୁ ଅନୁମାନ କରିପାରୁଛେ କଂଗ୍ରେସ ନେତା ଓ କର୍ମୀଙ୍କର କେତେ ଧୈର୍ଯ୍ୟ ଓ ଦମ୍ଭ ଅଛି। କାରଣ ଦୀର୍ଘ ବର୍ଷ କ୍ଷମତାରେ ଥିବା ଦଳ ଦୁର୍ବଳ ହୋଇ ଯାଉଥିବାବେଳେ କଂଗ୍ରେସ ନେତା ଓ କର୍ମୀ ବିନା କ୍ଷମତାରେ ମଧ୍ୟ ଦଳକୁ ଜାବୁଡି ଧରିଛନ୍ତି। ବଡ କଥା ହେଲା ଆଜି ଲୋକଙ୍କ ମନରେ ଆସିଲାଣି ପୁଣି କଂଗ୍ରେସ ଫେରିବ। ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଶନିବାର ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମ୍‌ ଏହା କହିଛନ୍ତି। ସେ ବିଜେଡି ଆଡକୁ ଆଙ୍ଗୁଳି ଉଠାଇ କହିଥିଲେ ଯେଉଁ ଦଳ ଭାଜପା ସହ ମିଶି ୯ ବର୍ଷ ସରକାରରେ ଥିଲା ପରବର୍ତ୍ତୀ ସମୟରେ ସେହି ଦଳ ସହ ଅଘୋଷିତ ମେଣ୍ଟ କରିଥିଲା। ତାହା ପୁଣି ଭୟରେ। ତେବେ ବିଜେଡି ସରକାରରୁ ଯିବା ଖୁବ କମ ଦିନ ହେବ। ଏହା ଭିତରେ ବିଜେଡି ସାଂସଦ ଓ ଅନ୍ୟ ନେତାମାନେ କହିବା ଆରମ୍ଭ କଲେଣି ଯେ, କଂଗ୍ରେସ ସହ ମିଶି ଭାଜପା ସରକାରକୁ ହଟାଇବେ ବୋଲି ମୋକିମ କହିଛନ୍ତି। ଅନ୍ୟପଟେ ଭାଜପାକୁ ମଧ୍ୟ ସେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏହି ସରକାର ଆକ୍ସିଡେନ୍ସିଆଲି ଆସିଛି। ସରକାର କିପରି ଚାଲିବ ସେ ଅଭିଜ୍ଞତା ମଧ୍ୟ ଅନେକଙ୍କର ନାହିଁ। ମୁଖ୍ୟମନ୍ତ୍ରୀ ବାରମ୍ବାର ଦିଲ୍ଲୀ, ମୁମ୍ବାଇ ଯାଉଛନ୍ତି। ବଡ ବଡ ଶିଳ୍ପପତିଙ୍କ ସହ କଥା ହେଉଛନ୍ତି। କିନ୍ତୁ ଓଡ଼ିଶାରେ କେତେ ଶିଳ୍ପ ଅଛି, ସେଗୁଡିକ କିପରି ଚାଲିଛତାହା ମୁଖ୍ୟମନ୍ତ୍ରୀ ବୁଝିଲେଣି କି ବୋଲି ମୋକିମ କହିଛନ୍ତି। ତେବେ କଂଗ୍ରେସ କେବେ ହେଲେ ସାମ୍ପ୍ରଦାୟିିକ ଶକ୍ତି ସହ ମିଶିବ ନାହିଁ। ଗାଁଠୁ ସହର ସବୁଠି କଂଗ୍ରେସ ଲୋକ ଅଛନ୍ତି। ସମୟ ଆସିଛି ଲକ୍ଷ୍ମଣ ମଲ୍ଲିକ ଓ ବାସୁଦେବ ମହାପାତ୍ରଙ୍କୁ ମନେ ପକାଇ କଂଗ୍ରେସକୁ ପୁଣି ମଜଭୁତ କରିବାକୁ ଚେଷ୍ଟା କଲେ ଅସମ୍ଭବ ବୋଲି କିଛି ନାହିଁ। ୧୯୮୦ ମସିହା ପରେ କଟକ ସହରରେ କଂଗ୍ରେସ ଆସି ନ ଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକ ୧୫ ବର୍ଷ ମୁଖ୍ୟମନ୍ତ୍ରୀ ଓ ବସନ୍ତ ବିଶ୍ୱାଳଙ୍କ ୫ ବର୍ଷ ଉପମୁଖ୍ୟମନ୍ତ୍ରୀ ସମୟରେ ସେମାନଙ୍କ କଟକରେ ଘର ଥାଇ ମଧ୍ୟ କଂଗ୍ରେସ ଜିତୁ ନ ଥିଲା। ବହୁ ବାଧାବିଘ୍ନ ସତ୍ତ୍ବେ କଟକରେ ତାଙ୍କ ଉଦ୍ୟମରେ କଂଗ୍ରେସ ଜିତିଥିଲା। ଏବେ ବି ଜିତିଛି ବୋଲି ମୋକିମ୍‌ କହିଛନ୍ତି।

 

Share