ବିଜେଡିକୁ ଏତେ ବଡ଼ କ୍ଷତି କାହା ପାଇଁ? ପାଣ୍ଡିଆନ ନା ଆଉ କିଏ, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଭୁବନେଶ୍ୱର, ୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ବିଜେଡିକୁ କେବଳ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ କଂଗ୍ରେସ ୧୪ଟି , ସ୍ବାଧୀନ ୩ଟି ଏବଂ ସିପିଆଇ(ଏମ୍‌) ଗୋଟିଏ ଆସନ ପାଇଛନ୍ତି। ତେବେ ପ୍ରଶ୍ନ ହେଉଛି କେଉଁ ଭୁଲ୍‌ ଯୋଗୁ ବିଜେଡିକୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ିଛି। ଜାଣନ୍ତୁ…

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦଳ ଓ ସରକାରରୁ ଦୂରେଇ ରହିଲେ ଆଉ କାର୍ତ୍ତିକ ପାଣ୍ଡିଆନ ତାଙ୍କର ପ୍ରତିନିଧି ଭାବେ ଉଭୟ ବିଜେଡି ଓ ସରକାରରେ ସର୍ବେସର୍ବା ପାଲଟିଗଲେ । ପରିସ୍ଥିତି ଏଭଳି ହେଲା ଯେ, ନବୀନଙ୍କୁ ତାଙ୍କ ସରକାରର ମନ୍ତ୍ରୀ, ବିଧାୟକ, ମୁଖ୍ୟ ସଚିବ ଓ ପୋଲିସ ଡିଜି ମଧ୍ୟ ଭେଟିବା ସମ୍ଭବପର ହେଲାନି । ଯାହାକୁ ନେଇ ଉଭୟ ଦଳ ଓ ସରକାରୀ ଅଫିସରଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା।

ଅନ୍ୟଟି ହେଲା ବିଜେଡି ପ୍ରାର୍ଥୀ ଚୟନବେଳେ ସମ୍ପୂର୍ଣ୍ଣ ମନମୁଖୀ ନିଷ୍ପତ୍ତି ନେଇଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଡିଏସ କୁଟ୍ଟେଙ୍କ ଉପରେ ଭରସା କରି ପାଣ୍ଡିଆନ ବିଭିନ୍ନ ନିର୍ବାମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ଏମ୍‌ପି ପ୍ରାର୍ଥୀ ଚୂଡାନ୍ତ କରିଥିଲେ। ଅନ୍ୟପଟେ ବିଜେଡିର କୌଣସି ନେତା-ମନ୍ତ୍ରୀଙ୍କୁ ବିଗତ ୫ବର୍ଷ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଏକୁଟିଆ ଭେଟିବାର ସୁଯୋଗ ଦିଆଗଲାନି । ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ବଦଳରେ ପାଣ୍ଡିଆନ ସବୁ ସ୍ଥାନକୁ ଗଲେ, ଲୋକଙ୍କ ସାମ୍ନାକୁ ଆସିଲେ , ହେଲେ ତାହାକୁ ଲୋକେ ଗ୍ରହଣ କରିପାରିଲେ ନାହିଁ।

Share