କଂଗ୍ରେସରୁ ବହିଷ୍କାର ପରେ ବିଜେଡିରେ ଯୋଗଦେଲେ

ଝାରସୁଗୁଡ଼ା ଅଫିସ,୪।୩: ଦଳ ବିରୋଧୀ କାର୍ଯ୍ୟ ପାଇଁ ଝାରସୁଗୁଡ଼ା ଜିଲା ଛାତ୍ର କଂଗ୍ରେସ(ଏନ୍‌ଏସ୍‌ୟୁଆଇ) ସଭାପତି ନବନିତ୍‌ କୌରଙ୍କୁ ଗୁରୁବାର ଦଳରୁ ବହିଷ୍କାର କରାଯାଇଛି। ଏନେଇ ଏନ୍‌ଏସୟୁଆଇ ରାଜ୍ୟ ସଭାପତି ୟାଶିର ନଓ୍ବାଜ ଏହି ସୂଚନା ଦେଇଛନ୍ତି। ଏହାର ଗୋଟିଏ ଦିନ ପରେ ଦଳରୁ ବହିଷ୍କାର ହୋଇଥିବା ନବନିତ୍‌ ଶୁକ୍ରବାର ବିଜେଡିରେ ଯୋଗଦେଇଛନ୍ତି। ନବନିତ୍‌ଙ୍କ ଯୋଗଦାନ କାର୍ଯ୍ୟକ୍ରମ ଅବସରରେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଉପପର୍ଯ୍ୟବେକ୍ଷକ ବିଷ୍ଣୁ କେଡିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାପସ ରାୟ ଚୌଧୁରୀ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏନେଇ ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ମନିଷ ବାଜପେୟୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନବନିତ୍‌ ବିଜେଡି ପାଇଁ ପ୍ରଚାର କରି ଦଳ ବିରୋଧୀ କାର୍ଯ୍ୟ କରିଥିଲେ। ଫଳରେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ନବନିତ୍‌ଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲା। ହେଲେ ତାହା ସମ୍ଭବ ହୋଇପାରି ନାହଁ।

Share