ପ୍ରତିଶ୍ରୁତି ପାଳନ କଲା ବିଜେଡି

ଭୁବନେଶ୍ୱର,୧୨ା୪(ଅନିଲ ଦାସ):ବିଜେଡି ୪ ପର୍ଯ୍ୟାୟରେ ୨୧ ଲୋକ ସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗୁରୁବାର ଶେଷ ପର୍ଯ୍ୟାୟରେ ବାକିଥିବା ବାଲେଶ୍ୱର ଆସନ ନିମନ୍ତେ ଭାଜପା ଛାଡ଼ିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେଡି ଲୋକ ସଭା ନିର୍ବାଚନରେ ମୋଟ ୭ ମହିଳାଙ୍କୁ ପ୍ରାର୍ଥୀ କରିବା ସହ ୩୩% ଟାର୍ଗେଟ ପୂରଣ ହୋଇଛି। ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, ଯାଜପୁରର ଶର୍ମିଷ୍ଠା ସେଠୀ ଓ ଭଦ୍ରକର ମଞ୍ଜୁଲତା ମଣ୍ଡଳଙ୍କୁ ଶାସକ ଦଳ ପୁଣିଥରେ ଟିକେଟ ଦେଇଥିବାବେଳେ କୋରାପୁଟରେ ଗତଥର ପରାଜିତ ହୋଇଥିବା କୌଶଲ୍ୟା ହିକକ୍କାଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ଆସିକାରେ ରଞ୍ଜିତା ସାହୁ, ବରଗଡ଼ରେ ପରିଣୀତା ମିଶ୍ର ଓ ବାଲେଶ୍ୱରରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଶାଇ ମୋଟ ୭ଜଣ ମହିଳାଙ୍କୁ ଲୋକ ସଭା ମଇଦାନକୁ ବିଜେଡି ଓହ୍ଲାଇଛି।
୨୧ଟି ଲୋକ ସଭା ଆସନ ମଧ୍ୟରୁ ୯ଟିରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ୪ଜଣ ଏମ୍‌ପିଙ୍କୁ ସେମାନଙ୍କ ସ୍ଥାନରେ ଦଳ ପୁଣି ଟିକେଟ ଦେଇଥିବାବେଳେ ୨ ପରାଜିତ ପ୍ରାର୍ଥୀଙ୍କୁ ଭରସା କରିି। ୨୦୧୯ରେ ଭୁବନେଶ୍ୱର ଲୋକ ସଭା ଆସନରୁ ପରାଜିତ ହୋଇଥିବା ଅରୂପ ପଟ୍ଟନାୟକଙ୍କ ସ୍ଥାନ ପରିବର୍ତ୍ତନ କରି ପୁରୀରୁ ତାଙ୍କୁ ପ୍ରାର୍ଥୀ କରିଛି। ସେହିପରି ୨୦୧୯ ନିର୍ବାଚନରେ ପରାଜିତ କୌଶଲ୍ୟା ହିକ୍‌କାଙ୍କୁ ଦଳ କୋରାପୁଟରୁ ଲଢ଼ିବାକୁ ଆଉଥରେ ସୁଯୋଗ ଦେଇଛି। ଦଳଡିଆଁଙ୍କ ମଧ୍ୟରେ ଭାଜପାରୁ ଆସିଥିବା ୪ ଜଣ ଓ କଂଗ୍ରେସରୁ ଆସିଥିବା ୫ ଜଣ ନେତାଙ୍କୁ ବିଜେଡି ଏଥର ଲୋକ ସଭାରେ ପ୍ରାର୍ଥୀ କରିଛି। ବିଜେଡି ଏଥର ଲୋକ ସଭା ନିର୍ବାଚନ ମଇଦାନରେ ସର୍ବାଧିକ ଦଳଡିଆଁଙ୍କୁ ପ୍ରାର୍ଥୀ କରିଛି। ସେଥିରେ କଂଗ୍ରେସରୁ ଆସିଥିବା ଅନୁଭବ ମହାନ୍ତି, ସୁରେନ୍ଦ୍ର ସିଂ ଭୋଇ, ମନ୍ମଥ ରାଉତରାୟ, ପ୍ରଦୀପ ମାଝି ଓ ଅବିନାଶ ସାମିଲ ଥିବାବେଳେ ଭାଜପାରୁ ଆସିଥିବା ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ପରିଣୀତା ମିଶ୍ର ଓ ଧନୁର୍ଜୟ ସିଦ୍ଧୁ ଅଛନ୍ତି। ବିଜେଡି ଯେଉଁ ସମୀକରଣ ଓ ରାଜନୈତିକ ଫାଇଦା ପାଇଁ ଏଭଳି ପ୍ରାର୍ଥୀ ଚୟନ କରିଛି, ସେଥିରେ କେତେ ସଫଳ ହେଉଛି ତାହା ସାଧାରଣ ନିର୍ବାଚନ ଶେଷ ହେବାପରେ ଜଣାପଡ଼ିବ। ସୂଚନାଯୋଗ୍ୟ, ଭାଜପା ୨ଟି ପର୍ଯ୍ୟାୟରେ ସମସ୍ତ ୨୧ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଗୋଟିଏ ପର୍ଯ୍ୟାୟରେ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି।

Share