‘ବିଜେଡି ଗାଡ଼ିର ଡ୍ରାଇଭର ସାଜିଛି କଂଗ୍ରେସ’

ଭୁବନେଶ୍ୱର,୨୮।୮(ଅନିଲ ଦାସ):ବିଧାନସଭାରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ନ ହେଉ, ସେ ନେଇ ବିଜେଡି ଓ କଂଗ୍ରେସ ଅପଚେଷ୍ଟା କରୁଛନ୍ତି। ଏବେ ‘ବିଜେଡି ଗାଡ଼ିର ଡ୍ରାଇଭର ସାଜିଛି କଂଗ୍ରେସ’ ବୋଲି ଭାଜପା ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି। ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଯେତେବେଳେ ଜନଗଣନା ହେବ ସେତେବେଳେ ଜାତି ଜନଗଣନା ପ୍ରସଙ୍ଗ ଉଠାଇବା ଯଥାର୍ଥ ହୋଇପାରେ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍‌ ଦେଇଥିବା ତତ୍‌କାଳୀନ ବିଜେଡି ସରକାର ସର୍ଭେ ନଁାରେ ଯେଉଁ ପ୍ରହସନ ଚଳାଇଲେ, ତାହା ଓଡ଼ିଶାବାସୀଙ୍କ ସାମ୍ନାରେ ସାର୍ବଜନୀନ ହେଲା ନାହିଁ କାହିଁକି। ଏବେ ଅଯଥାରେ ଜାତି ଜନଗଣନା ପ୍ରସଙ୍ଗରେ ବିଧାନସଭାକୁ କଂଗ୍ରେସ ଅଚଳ କରୁଛି। କଂଗ୍ରେସ ଓ ବିଜେଡି ଉଭୟ ଶାସନ କ୍ଷମତାରେ ଥିଲାବେଳେ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କୁ ନ୍ୟାୟ ଦେଇନାହାନ୍ତି। ଏବେ ଭାଜପା ସରକାରରେ ଓଡ଼ିଶାରେ ସାମାଜିକ ନ୍ୟାୟ ସ୍ଥାପନା ହୋଇଛି। ଜଣେ ଆଦିବାସୀ ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେଡି ଓ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହାନ୍ତି। ଓଡ଼ିଶାରେ ଆଦିବାସୀ, ଦଳିତ ଯଥାକ୍ରମେ ୩୮% ଓ ଓବିସି ୫୨% ଅଛନ୍ତି। ୨୫ବର୍ଷ ବଜେଡି ଶାସନରେ ଓବିସି, ଏସ୍‌ସି, ଏସ୍‌ଟିଙ୍କୁ ନ୍ୟାୟ ଦେବାକୁ ସ୍ବର ଉଠାଇ ନ ଥିଲେ। ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରରେ ୨୭ ଜଣ ଓବିସି ବର୍ଗ ମନ୍ତ୍ରୀ ଅଛନ୍ତି। ଓଡ଼ିଶାରେ ଭାଜପା ଆଦିବାସୀ ବର୍ଗଙ୍କୁ ପ୍ରତିନିଧିତ୍ୱ କରୁଥିବା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ରାଜ୍ୟର ୧୬ଜଣିଆ ମନ୍ତ୍ରୀ ପରିଷଦରେ ୪ଜଣ ଆଦିବାସୀ, ୨ଜଣ ଦଳିତ, ୭ଜଣ ଓବିସି ବର୍ଗର ମନ୍ତ୍ରୀ ଅଛନ୍ତି। ସେହିପରି ମୁଖ୍ୟସଚେତକ ଓବିସି ବର୍ଗର ହୋଇଥିବାବେଳେ ଉପମୁଖ୍ୟ ସଚେତକ ଜଣେ ଦଳିତ ବର୍ଗର ଅଟନ୍ତି। ଭାଜପା ସରକାର ଗଠନରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିବାବେଳେ ଅତୀତରେ କଂଗ୍ରେସ ଓ ବିଜେଡି ଓବିସି, ଏସସି, ଏସ୍‌ଟିଙ୍କୁ ଆଦୌ ପ୍ରାଧାନ୍ୟ ଦେଇ ନ ଥିବା ନଜିର ରହିଛି। ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ବିଭାଗ ପାଇଁ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀଟିଏ ମଧ୍ୟ ଦେଇ ନ ଥିଲେ। ସଂରକ୍ଷଣ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦଳର ସଭାପତି ଓ ବିରୋଧୀ ଦଳ ନେତା ୨ଟି ପଦକୁ ମାଡ଼ି ବସିଛନ୍ତି। ବିଜେଡି ଓ ନବୀନ ବାବୁ ଯଦି ସାମାଜିକ ନ୍ୟାୟରେ ବିଶ୍ୱାସ ରଖୁଥାନ୍ତି, ତେବେ ଏ ଦୁଇଟି ପଦରୁ ଗୋଟିଏ ପଦବୀ ଅନୁସୂଚିତ ଜାତି, ଜନଜାତି କିମ୍ବା ପଛୁଆ ବର୍ଗଙ୍କୁ ଦେଇଦିଅନ୍ତୁ ବୋଲି ମହାପାତ୍ର କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

Share