‘ବିଧାୟକଙ୍କ ଗାଡ଼ିକୁ ବିଜେଡି ନେତା ଅଣ୍ଡାମାଡ଼ କରି ନ ଥିଲେ’

ବଲାଙ୍ଗୀର ଅଫିସ, ୧୫ା୧୨: ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ମଙ୍ଗଳବାର ପୁଇଁତଳା ମଣ୍ଡି ପରିଦର୍ଶନରେ ଯିବାବେଳେ ତାଙ୍କ ଗାଡିକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ବିଜେଡି ଜିଲା ଉପସଭାପତି ତଥା ପୁଇଁତଳା ପାକ୍ସ ସଭାପତି ସୁରେଶ ନାଏକ, ବିଜେଡି ବ୍ଳକ ସଭାପତି ବିଷ୍ଣୁ ପଟେଲ ଓ ତାଙ୍କ ସହଯୋଗୀ ସାମିଲ ଥିବା ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣା ପରେ ବିଜେଡି ଯୁବନେତା ନିହାର ରଞ୍ଜନ ବେହେରା ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଖବରଦାତା ସମ୍ମିଳନୀ କରିଥିଲେ। ବିଧାୟକ ଗାଡି ଏବଂ ଭାଜପା କର୍ମୀଙ୍କୁ ବିଜେଡି ନେତା ଆକ୍ରମଣ କରି ନ ଥିଲେ କି ଅଣ୍ଡାମାଡ କରି ନ ଥିଲେ। ସ୍ଥାନୀୟ ଲୋକେ ବିଧାୟକଙ୍କୁ ଗାଡିକୁ ଅଣ୍ଡା ମାଡ କରିଥାଇପାରନ୍ତି ବୋଲି ସେ କହିଥିଲେ। ଏହାବାଦ୍‌ ଭାଲେର-କୁରୁଲ ପୋଲ ତିଆରି ପାଇଁ ଅନୁଦାନ ବ୍ୟବସ୍ଥା ହୋଇ ନ ଥିବା ସତ୍ତ୍ୱେ ବିଧାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ନେଇ ତାଙ୍କୁ ଲୋକେ କଳା ପତାକା ଦେଖାଇଥିଲେ ବୋଲି କହିଥିଲେ। ତେବେ ପୋଲିସ କାହିଁକି ବିଜେଡି ନେତାଙ୍କୁ ଗିରଫ କଲା ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ଯୁବନେତା ବେହେରା ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ତେବେ ଖବରଦାତା ସମ୍ମିଳନୀରେ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ଼ ଘଟଣାର ସେ ନିନ୍ଦା କରିଥିଲେ। ଖବରଦାତା ସମ୍ମିଳନୀରେ ପୁଇଁତଲା ବ୍ଳକ୍‌ ଅଧ୍ୟକ୍ଷ ସରୋଜ ପ୍ରଧାନ, ବ୍ଳକ୍‌ ଛାତ୍ର ବିଜେଡି ସଭାପତି ଶ୍ରୀପତି ପଧାନ, ଯୁବ ବ୍ଳକ୍‌ ବିଜେଡି ସଭାପତି ଉପସ୍ଥିତ ଥିଲେ।