ବିଜେଡି ନେତାଙ୍କ ମାଲିକାନାରେ ଥିବା ବଣିକ କୋଚିଂ ସେଣ୍ଟର, ଯଯାତି ହୋଟେଲରେ ଆଇଟି ଚଢ଼ାଉ

ଭୁବନେଶ୍ୱର,୨।୪(ସତ୍ୟଜିତ୍‌ ରାଉତ):ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ମାଲିକାନାରେ ଥିବା ବଣିକ୍‌ କୋଚିଂ ସେଣ୍ଟର, ବ୍ୟବସାୟିକ ପ୍ରତିଷ୍ଠାନ ଓ ତାଙ୍କ ବାସଭବନରେ ଆୟକର ବିଭାଗ ପକ୍ଷରୁ ସୋମବାର ଚଢ଼ାଉ ହୋଇଛି। ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବଣିକ ଶାଖା, ସୁବ୍ରତଙ୍କ ନୟାପଲ୍ଲୀସ୍ଥିତ ବାସଭବନ, ଯାଜପୁର ରୋଡସ୍ଥିତ ହୋଟେଲ ‘ଯଯାତି କୋର୍ଟୟାର୍ଡ’ ରହିଛି। ସେହିପରି ଯଯାତି ହୋଟେଲର ପରିଚାଳନା ମୁଖ୍ୟ ଦିବ୍ୟରଞ୍ଜନ ନାୟକଙ୍କ ଯାଜପୁର ସଦର ଥାନା ଅନ୍ତର୍ଗତ ମଲ୍ଲିକାପୁରସ୍ଥିତ ଘରେ ମଧ୍ୟ ଆୟକର ବିଭାଗର ଅଧିକାରୀମାନେ ଯାଞ୍ଚ ଜାରି ରଖିଛନ୍ତି। ଆୟକର ଫାଙ୍କି ଅଭିଯୋଗରେ ଆୟକର ବିଭାଗର ୪ଟି ଟିମ୍‌ ଏସବୁ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଅଧିକାରୀମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ କିଛି ଜବତ କରିଥିବା ସୂଚନା ମିଳିଛି। ଏଥିସହ ସୁବ୍ରତଙ୍କ କୋଚିଂ ସେଣ୍ଟର, ବ୍ୟବସାୟିକ ପ୍ରତିଷ୍ଠାନ ଓ କୋଚିଂ ସେଣ୍ଟର ସହ ଜଡ଼ିତ କେତେଜଣ ବରିଷ୍ଠ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ବଣିକ କୋଚିଂ ସେଣ୍ଟରରେ ଚଢ଼ାଉ ସହ ଯାଞ୍ଚ ପାଇଁ କୌଣସି ଛାତ୍ରୀଛାତ୍ରଙ୍କୁ ଭିତରକୁ ଛଡ଼ାଯାଇ ନ ଥିଲା। ତେବେ ଏ ସଂକ୍ରାନ୍ତରେ ସୁବ୍ରତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଜିଏସ୍‌ଟି ଫାଙ୍କି ଅଭିଯୋଗରେ ଗତବର୍ଷ ଅର୍ଥାତ୍‌ ୨୦୨୩ ମାର୍ଚ୍ଚ ୨୮ରେ ମଧ୍ୟ ବଣିକ କୋଚିଂ ସେଣ୍ଟରରେ ଜିଏସ୍‌ଟି ରେଡ୍‌ ହୋଇଥିଲା। ଏହି ସମୟରେ ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ଜିଏସ୍‌ଟି ଇଣ୍ଟେଲିଜେନ୍ସ ପକ୍ଷରୁ ୧୮ ଘଣ୍ଟା ଧରି ଚଢ଼ାଉ ହୋଇଥିଲା। ତେବେ ବର୍ଷକ ପରେ ଆୟକର ବିଭାଗ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜାରି ରହିଛି।
ସୂଚନାଯୋଗ୍ୟ, ବଣିକ୍‌ ପକ୍ଷରୁ ବ୍ୟାଙ୍କିଙ୍ଗ୍‌, ରେଲୱେ, ବି.ଏଡ୍‌. ଓ ଏସ୍‌ଏସ୍‌ସି ଆଦି କୋଚିଂ ଦିଆଯାଇଥାଏ। ରାଜ୍ୟର ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ରାଉରକେଲା ଓ ପଶ୍ଚିମବଙ୍ଗର କୋଲ୍‌କାତାରେ କୋଚିଂ ସେଣ୍ଟରର ଶାଖା ରହିଛି। ଖବର ଲେଖାହେବା ପର୍ଯ୍ୟନ୍ତ ୧୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଯାଞ୍ଚ ଜାରି ରହିଥିଲା।

Share