ଭାଜପା ସହ ମେଣ୍ଟ ନେଇ ବିଜେଡି ନେତା ଅସନ୍ତୁଷ୍ଟ: ଅଜୟ କୁମାର

ଭୁବନେଶ୍ୱର,୨୬।୨(ସୁନିତ୍‌ ମିଶ୍ର):ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଭାଜପା ମଧ୍ୟରେ ମେଣ୍ଟ ହୋଇଛି, ଯେଉଁଥିିପାଇଁ ବିଜେଡି ନେତାଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଜୟ କହିଛନ୍ତି, ଶାସକ ଦଳରେ ଅନେକେ ଅସନ୍ତୁଷ୍ଟ ଅଛନ୍ତି। ଭାଜପା ସହ ଅଘୋଷିତ ମେଣ୍ଟକୁ ନେଇ ବିଜେଡି ନେତାମାନେ ବହୁତ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ଦଳରେ ବହୁ ଅନ୍ତଃକନ୍ଦଳ ମଧ୍ୟ ରହିଛି। ଆମ ସହ ଯୋଗାଯୋଗରେ ଥିବା ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ଏହା ଲାଗୁଛି ଭାଜପା ଏଠି ବିଜେଡିକୁ ଚଳାଉଛି। ରାଜ୍ୟରେ ବିଜେଡି ଓ ଭାଜପା ସମାନ। ଓଡ଼ିଶାକୁ ବଞ୍ଚାଇବାକୁ ଚାହୁଁଥିବା ବିଜେଡି ଓ ଭାଜପା ନେତା ଆମ ସହ ଆସନ୍ତୁ, ଆମେ ସେମାନଙ୍କୁ ଉଚିତ ସମ୍ମାନ ଦେବୁ ବୋଲି ସେ କହିଛନ୍ତି। ଅଜୟ ଆହୁରି କହିଛନ୍ତି, ଓଡ଼ିଶାର ପ୍ରାର୍ଥୀ ଚୟନ ପାଇଁ ‘ପ୍ରଗମନ’ ଆପ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଯେତିକି ଲୋକ ବିଧାନସଭା ପାଇଁ ଆବେଦନ କରିଥିଲେ, ସେମାନଙ୍କ ନାଁ ପିଇସି ବୈଠକରେ ଆଲୋଚନା କରାଯାଇଛି। ଏହାସହ ଯେଉଁମାନେ ଲୋକ ସଭା ପାଇଁ ଆବେଦନ କରିଛନ୍ତି, ସେମାନଙ୍କ ନାଁ ମଧ୍ୟ ପିଇସିରେ ଆଲୋଚନା ହୋଇଛି। ଆଗାମୀ ୨୭ରେ ଦିଲ୍ଲୀରେ ସ୍କ୍ରିନିଂ କମିଟି ବୈଠକ ବସିବ। ତେଣୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନରେ ଯେଉଁମାନେ ପରଫର୍ମାନ୍ସ ଦୃଷ୍ଟିରୁ ଆଗରେ ଥିବେ, ସେମାନଙ୍କ ନାଁ ସ୍କ୍ରିନିଂ କମିଟିରେ ସ୍ଥାନ ପାଇବ। ଶେଷରେ ପ୍ରଗମନ ଓ ସର୍ଭେ ଟିମ୍‌ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଓଡ଼ିଶାରେ ଟିକେଟ ବଣ୍ଟାଯିବ। ଯେଉଁମାନେ ପ୍ରଗମନରେ ନିଜର ତୃଣମୂଳସ୍ତରର ଦକ୍ଷତାକୁ ପ୍ରତିପାଦିତ କରିପାରିବେ, ସେମାନଙ୍କୁ ଟିକେଟ ପାଇଁ ପ୍ରାଥମିକତା ଦିଆଯିବ। କଂଗ୍ରେସ ନିଜର ପ୍ରାୟ ସବୁ ପ୍ରାର୍ଥୀଙ୍କ ନାଁ ଶର୍ଟ ଲିଷ୍ଟ କରିସାରିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ସବୁ ସିଟ୍‌ରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ସେ କହିଛନ୍ତି।

Share