ବରଗଡ଼, ୬।୩(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଭାଜପା ସରକାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସ ଓ ସରକାରୀ ଛୁଟିକୁ ବାତିଲ କରି ହୀନ ମାନସିକତାର ପରିଚୟ ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଓଡ଼ିଶାର ଗର୍ବ ଗୌରବ ଓଡ଼ିଆ ଅସ୍ମିତାର ପ୍ରତୀକ ବିଜୁ ବାବୁ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଭାରତବର୍ଷରେ ଉଦାହରଣ ପାଲଟିଥିଲେ। ତାଙ୍କ ଜନ୍ମଦିନକୁ ରାଜ୍ୟରେ ଦୀର୍ଘଦିନରୁ ପଞ୍ଚାୟତିରାଜ ଦିବସ ଭାବେ ପାଳିତ ହୋଇ ଆସୁଥିବା ବେଳେ ହଠାତ୍ ରାଜ୍ୟର ଭାଜପା ସରକାର ଉକ୍ତ ଦିବସରେ ପୂର୍ବ ଘୋଷିତ ସରକାରୀ ଛୁଟି ବାତିଲ କରିବା ସହ ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିବା ନିଷ୍ପତ୍ତି ନେଇ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଆଘାତ ଦେଇଛି ବୋଲି ବିଜେଡି ନେତୃବୃନ୍ଦ ମତପ୍ରକାଶ କରିଛନ୍ତି।
ରାଜ୍ୟ ଭାଜପା ସରକାରଙ୍କ ସେଭଳି ନିଷ୍ପତ୍ତି ବିରୋଧରେ ବରଗଡ଼ ବିଜୁ ଜନତା ଦଳ ତରଫରୁ ଗୁରୁବାର ସ୍ଥାନୀୟ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି ନେତୃମଣ୍ଡଳୀ ଧାରଣା ଦେବା ସହ ଭାଜପା ସରକାରଙ୍କ ସେହି ନିଷ୍ପତ୍ତିର ପ୍ରତିବାଦ ଜଣାଇଛନ୍ତି। ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର ନ କରନ୍ତି, ତେବେ ବିଜେଡି ସମଗ୍ର ରାଜ୍ୟରେ ଭାଜପା ସରକାର ବିରୋଧରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୌର ଅଧ୍ୟକ୍ଷ କଳ୍ପନା ମାଝୀ ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ଟାଉନ ବିଜେଡି ସଭାପତି କିଶୋର ମିଶ୍ର , ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକଙ୍କ ସମେତ ପୌର ପରିଷଦର ସମସ୍ତ କାଉନସିଲର ଓ ବରଗଡ଼ ଜୋନର ସମସ୍ତ ଜିଲା ପରିଷଦ ସଭ୍ୟାସଭ୍ୟ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ସେହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି।