ଅପରାଜିତାଙ୍କୁ ଅଟକାଇବାକୁ ବଡ଼ ଚାଲ୍ ଚଲାଇଲା ବିଜେଡି, ଏବେ କଠିନ ହୋଇପାରେ ବିଜୟ ରାସ୍ତା

ଭୁବନେଶ୍ୱର,୨୭।୩: ବିଧାନସଭା ଏବଂ ଲୋକ ସଭା ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ୯ ଲୋକ ସଭା ଆସନ ପାଇଁ ଦଳ ଟିକେଟ ଘୋଷଣା କରିଛି। ଏଥିରେ ସବୁଠୁ ବଡ଼ ନାଁ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରହିଥିଲା ବେଳେ ଭୁବନେଶ୍ୱରରେ ବଡ଼ ଚାଲ୍ ଚଳାଇଛି ବିଜେଡି। କିଛି କ୍ଷଣ ପୂର୍ବରୁ ଦଳରେ ଯୋଗ ଦେଇଥିବା ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ କରିଛି ବିଜେଡି। ଯେଉଁଠାରେ ବର୍ତମାନର ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି।

ବୁଧବାର କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିରାଟ ପଟୁଆର ନେଇ ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରୁ ଆଲୋଚନା ହେଉଥିଲା ଯେ, ଜଟଣୀ କିମ୍ବା ଭୁବନେଶ୍ୱରରୁ ତାଙ୍କୁ ବିଧାୟକ ଆସନ ପାଇଁ ଟିକେଟ ମିଳିପାରେ। କିନ୍ତୁ ସବୁ ଆଲୋଚନାକୁ ଭୁଲ୍ ପ୍ରମାଣିତ କରି ବିଜେଡି ମନ୍ମଥଙ୍କୁ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଯାହା ଅପରାଜିତାଙ୍କ ବିଜୟ ପଥରେ ସମସ୍ୟା ସୃଷ୍ଟି କରିପାରେ। କାରଣ ମନ୍ମଥଙ୍କୁ ବିଜେଡିର ସମ୍ପୂର୍ଣ୍ଣ ସମର୍ଥନ ମିଳିବା ବ୍ୟତୀତ ସୁର ରାଉତରାୟଙ୍କ ସମର୍ଥିତ କଂଗ୍ରେସ ଭୋଟ ମଧ୍ୟ ମିଳିବ।

ବୁଧବାର ମନ୍ମଥ ବିରାଟ ପଟୁଆର କରି ବିଜେଡିରେ ଯୋଗ ଦେବାକୁ ପୁଅକୁ ସମର୍ଥନ ଦେବାକୁ କହିଥିଲେ ସୁର। ପୁଅ କେମିତି ଜିତିବ ସେ ନେଇ ସେ ପଛରୁ ସପୋର୍ଟ କରିବେ ବୋଲି କହିଥିଲେ। ଏସବୁକୁ ଦେଖିଲେ ଅପରାଜିତାଙ୍କୁ ପାଇଁ ଆଗାମୀ ନର୍ବାଚନ ସହଜ ଦେଖାଯାଉନାହିଁ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ଆସନରୁ ବିଜେପି ପ୍ରାର୍ଥୀ ହେଇଥିଲେ ଅପରାଜିତା ଷଡଙ୍ଗୀ । ବିଜେଡି ଅପରାଜିତାଙ୍କୁ ମାତ୍ ଦେବାକୁ ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକଙ୍କୁ ଟିକେଟ୍ ଦେଇଥିଲା । ହେଲେ ଜୋରଦାର ଟକ୍କର ଦେବା ସ୍ୱତ୍ତ୍ୱେ ବିଜେଡି ଭୁବନେଶ୍ୱର ଲୋକସଭା ଆସନ ହରାଇଥିଲା । ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ହରାଇ ଦେଇଥିଲେ । ସେବେଠୁ ଭୁବନେଶ୍ୱର ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଥିଲା ବିଜେଡି ।

Share