ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ ଭୀମସାର ବୁର୍ଲାରେ ଚିକିତ୍ସାଧିନ ଅଛନ୍ତି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଶନିବାର ବିଜେଡିର ଏକ ପ୍ରତିନିଧି ଦଳ ପୀଡିତାଙ୍କ ପରିବାରକୁ ଭେଟିବା ସହିତ ବରଗଡ଼ ଏସ୍ପିଙ୍କୁ ସାକ୍ଷାତ କରିଛନ୍ତି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖିବା ସହିତ ନିରପେକ୍ଷ ତଦନ୍ତ ଏବଂ ଅଭିଯୁକ୍ତଙ୍କୁ ଗିରଫ କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେମାନେ ଦାବି କରିଥିବା ଜଣାପଡିଛି। ଏହି ଟିମରେ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ତଥା ପୂର୍ବତନ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ଜାପାନ ମହାପାତ୍ର ପ୍ରମୁଖ ସାମିଲ ଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାନଗଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ପ୍ରକାଶଥାଉକି, ଗତ ୧୨ତାରିଖ ଧନୁଯାତ୍ରା ଦେଖିବାକୁ ଆସିଥିବା ବେଳେ ପୀଡିତା ନିଖୋଜ ହୋଇ ଯାଇଥିଲେ। ନିଖୋଜ ହେବାର ପ୍ରାୟ ୪୮ ଘଣ୍ଟା ପରେ ଅର୍ଥାତ୍ ଗତ ୧୪ତାରିଖ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୀଡିତା ଉଦ୍ଧାର ହୋଇଥିଲେ। ତାଙ୍କୁ ଅପହରଣ କରି ବଳାତ୍କାର ଏବଂ ହତ୍ୟା ଉଦ୍ୟମ ହୋଇଥିବା ନେଇ ପୀଡିତାଙ୍କ ମା’ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପାରି ନାହିଁ। ଅନ୍ୟପକ୍ଷରେ ପୋଲିସ ଜାଲରେ ଅଭିଯୁକ୍ତମାନେ ପଡି ସାରିଛନ୍ତି ଏବଂ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି ବୋଲି ସାଧାରଣରେ ଆଲୋଚିତ ହେଉଛି।