ଆଜି ବିଜେଡିର ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୧୯।୬(ସୁନିତ୍‌ ମିଶ୍ର):ବିଜେଡି ବିଧାୟକ ଦଳ ବୈଠକ ବୁଧବାର ଅପରାହ୍ନ ସାଢେ ୪ଟା ସମୟରେ ଶଙ୍ଖ ଭବନଠାରେ ଅନୁଷ୍ଠିତ ହେବ। ଏଥିରେ ଦଳର ସମସ୍ତ ୫୧ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କ ଉପସ୍ଥିତିରେ କାହାକୁ ବିରୋଧୀ ଦଳ ନେତା କରାଯିବ ସେନେଇ ସ୍ଥିର କରାଯିବ। ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ଭାବେ ସବୁ ବିଧାୟକମାନେ ନିର୍ବାଚିତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନବୀନ ବିରୋଧୀ ଦଳ ନେତା ପଦବୀ ହାତେଇବା ପରେ ବାକି ଅନ୍ୟ ପଦବୀ ପାଇଁ ଆଉ କେତେଜଣ ନେତାଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିରୋଧୀ ଦଳ ଉପନେତା ପଦବୀ ମଧ୍ୟ ରଖାଯାଇପାରେ ବୋଲି ଦଳ ବିଚାର କରୁଥିବା ଚର୍ଚ୍ଚା ହେଉଛି। ଏହି ପଦବୀ ରଖାଗଲେ ଦଳ ମୁଖ୍ୟତଃ ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ପ୍ରମିଳା ମଲିକଙ୍କ ଭଳି ନେତାଙ୍କୁ ସୁଯୋଗ ଦେଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ବିରୋଧୀ ଦଳ ମୁକ୍ୟ ସଚେତକ ଏବଂ ଉପମୁଖ୍ୟସଚେତକ ପଦ ଲାଗି ମଧ୍ୟ ବିଜୟୀ ବିଧାୟକମାନଙ୍କ ମଧ୍ୟରୁ ବହୁଜଣ ଆଶାୟୀ ଅଛନ୍ତି।
ଖୋର୍ଦ୍ଧା ଜିଲାର ଜଣେ ବିଧାୟକ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ବିରୋଧୀ ଦଳର ଯେତିକି ପଦବୀ ରହିଲା ସେଗୁଡିକ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କ ଇଙ୍ଗିତରୋ ବଣ୍ଟାଯାଇପାରେ। ତେବେ ବିଧାୟକ ଦଳ ବୈଠକରେ ପରାଜିତ ନେତାଙ୍କ ମଧ୍ୟରୁ ଯଦି କେହି ଉପସ୍ଥିତ ରହିଲେ ଆଗକୁ ବୁମେରାଂ ହେବ ବୋଲି ସେ କହିଛନ୍ତି।

Share