ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଘଟିଛି। ଏହା ବିରୋଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି ଡାକରା ଦେଇଛି ରାଜଧାନୀଠାରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦଳ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଶନିବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।
ଖବରଦାତା ସମ୍ମିଳନୀରେ ବିଜେଡି ନେତା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁ ଓଡ଼ିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାର ଏହି ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଦର ବୃଦ୍ଧି ପ୍ରତିବାଦରେ ରବିବାର ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ। କେନ୍ଦ୍ରର ଭାଜପା ସରକାର ଦ୍ୱାରା ପେଟ୍ରୋଲ, ଡିଜେଲ, ଏଲ୍ପିଜି, ଖାଇବାତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ। ସେହିପରି ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲାପାଳ,ଉପଜିଲାପାଳ, ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।