ଚାଉଳ ବନ୍ଦ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ହିଞ୍ଜିଳିକାଟୁ,୧୬ା୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ପରିବାରକୁ କୋଭିଡ ସମୟରେ ପ୍ରଦାନ କରାଯାଉଥିବା ଅତିରିକ୍ତ ମାଗଣା ୫ କେଜି ଚାଉଳ ବନ୍ଦ ପ୍ରତିବାଦରେ ଗୁରୁବାର ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳ ବିଜେଡି ପକ୍ଷରୁ ବିକ୍ଷୋଭ ରାଲି ଆୟୋଜନ କରାଯାଇଛି। ରାଜ୍ୟ ବିଜେଡି ଆହ୍ବାନ କ୍ରମେ ପୌରାଞ୍ଚଳ ପକ୍ଷରୁ ନଗର ସଭାପତି ଭୀମସେନ ବେହେରଙ୍କେ ନେତୃତ୍ୱରେ ଶତାଧିକ କର୍ମୀ ଡାକବଙ୍ଗଳାଠାରୁ ରାଲିରେ ବାହାରି ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କେନ୍ଦ୍ର ସରକାରଙ୍କ ଗରିବ ମାରଣ ଓ ଚାଷୀ ହତାଦର ପଦକ୍ଷେପ ନିମନ୍ତେ ତୀବ୍ର ସମାଲୋଚନା କରି ପ୍ଲାକାର୍ଡ ଓ ସ୍ଲୋଗାନ ଦେଇଥିଲେ। ପରେ ହିଞ୍ଜିଳିକାଟୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅନୁରୂପ ଭାବେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ସହ ହିଞ୍ଜିଳିକାଟୁ ବିଡିଓଙ୍କୁ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ବ୍ଲକ ଅଧ୍ୟକ୍ଷା ସରସତୀ ସେଠୀଙ୍କ ସହ ଶତାଧିକ ବରିଷ୍ଠ,ଯୁବଛାତ୍ର ଓ ମହିଳା କର୍ମୀ ଯୋଗଦେଇଥିଲେ।

Share