ବିଜେଡି ରାଜ୍ୟ ସଭା ସଦସ୍ୟଙ୍କ ଚାଞ୍ଚଲ୍ୟକର ଟୁଇଟ୍‌: ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୨୮ା୬(ଅନିଲ ଦାସ):ବିଜେଡି ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ଗୁରୁବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରୁ କରିଥିବା ଧାଡ଼ିକିଆ ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ପ୍ରଭୁ ଜଗନ୍ନାଥ ସବୁ ସହିବେ କିନ୍ତୁ କାହାର ଗର୍ବ ଅହଙ୍କାର ସହନ୍ତି ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ତେବେ ସେ ଏହାକୁ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି ତାହା ଜଣାପଡ଼ି ନାହିଁ। ନିଜର ପୁରୁଣା ରାଗ ଶୁଝାଇବାକୁ ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ଉପଯୋଗ କରିଥିବା ଆଲୋଚନା ହେଉଛି। ରାଜ୍ୟ ସଭା ସଦସ୍ୟଙ୍କ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି। ଏହି ଗର୍ବ ଅହଙ୍କାର ହିଁ ବିଜେଡିକୁ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ କରାଇଲା ବୋଲି କେତେଜଣ ମତ ଦେଇଥିବାବେଳେ ଅନ୍ୟ କେତେଜଣ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଏଭଳି ପୋଷ୍ଟ ହୋଇଥିବା ଲେଖିଛନ୍ତି।

Share