ସିଇସିଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର,୨୮ା୧୦(ବ୍ୟୁରୋ):ଧାମନଗର ଉପନିର୍ବାଚନ ନେଇ ବିଜେଡି ଏବଂ ଭାଜପା ପରସ୍ପର ମଧ୍ୟରେ ଦୋଷ ଲଦାଲଦି ପର୍ବ ଜାରି ରଖିଛନ୍ତି। ବୁଧବାର ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ଭାରତୀୟ ନିର୍ବାଚନ ଆୟୋଗ(ସିଇସି)ଙ୍କ ନିକଟରେ ଫେରାଦ ହୋଇ ଶାସକ ଦଳ ଧାମନଗରରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ପ୍ରଲୋଭନ ଦେଖାଉଛି ବୋଲି ଅଭିଯୋଗ କରିଥିଲା। ଏଭଳି ସମୟରେ ଗୁରୁବାର ବିଜେଡିର ଏକ ପ୍ରତନିଧି ଦଳ ଭାରତୀୟ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହୋଇ ଭାଜପା ବିରୋଧରେ ଅଭିଯୋଗ କରିଛି।
ବିଜେଡି ଟିମ୍‌ ଅଭିଯୋଗ କରିଛି ଯେ, ଭାଜପା ନେତା ଓ କର୍ମୀ ଧାମନଗର ଉପନିର୍ବାଚନରେ ଟଙ୍କା କାରବାର କରୁଛନ୍ତି। ଅନ୍ୟପଟେ ଭାଜପା ଜଣେ ମହିଳାଙ୍କ ଜରିଆରେ ଟଙ୍କା ବାଣ୍ଟିବାର ଭିଡିଓ ଓ ଫଟୋ ତିଆରି କରି ଏହା ବିଜେଡି କରୁଛି ବୋଲି ଅଭିଯୋଗ କରୁଛି। ଏହାସହ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ଭାଜପା ଯେପରି ଅପମାନ କରୁଛି ତାହା ନିନ୍ଦନୀୟ। ମିଛ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ତାହା ପ୍ରଚାର କରୁଛି। ଏହି ଭିଡିଓ ଦେଖାଇ ମିଶନ ଶକ୍ତି ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛନ୍ତି। ଭାଜପା ବହୁଳ ମାତ୍ରାରେ ଟଙ୍କା ବାଣ୍ଟି ଧାମନଗର ଉପନିର୍ବାଚନ ଜିତିବାର ପ୍ରୟାସ କରୁଛି। ଯେତେବେଳେ ଧାମନଗର ଉପନିର୍ବାଚନ ହାରୁଥିବା ନେଇ ଭାଜପା ନେତାମାନେ ସୁରାକ ପାଇଲେ ଏବେ ବିପୁଳ ଅର୍ଥ କାରବାର ଆରମ୍ଭ କରିଛନ୍ତି। ଅନ୍ୟପଟେ ୨୦୨୨ ପଞ୍ଚାୟତ ଓ ଅର୍ବାନ ନିର୍ବାଚନରେ ଭାଜପାର ବିପୁଳ ଅର୍ଥ ଜବତ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ବିରୋଧରେ ଭାଜପା ମିଛ ଦୋଷ ଅଜା଼ଡି ସେମାନଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରୁଛି। ପ୍ରାୟ ସବୁ ନିର୍ବାଚନରେ ଭାଜପା ପକ୍ଷରୁ ଏହିଭଳି ଉଦ୍ୟମ ଆରମ୍ଭ ହୋଇଛି। ଭାଜପା ଯେଉଁ ମିଛ ଭିଡିଓ ପ୍ରସାର କରି ଏସ୍‌ଏଚ୍‌ଜି ମହିଳାଙ୍କୁ ଅପମାନିତ କରୁଛି ଏହାକୁ ରୋକାଯାଉ। ଧାମନଗରରେ ଭାଜପା ଲୋକଙ୍କ ମତ ପରିବର୍ତ୍ତନ ଲାଗି ବେନିୟମ ଭାବେ ଯେପରି ଅର୍ଥ କାରବାର ନ କରେ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର। ସ୍ଥାନୀୟ ପ୍ରଶାସନ ଯେପରି ବିନା ଭୟରେ ନିଜର କାର୍ଯ୍ୟ କରିବ ସେଥିପ୍ରତି ଧ୍ୟାନଦେବାକୁ ବିଜେଡି ପ୍ରତିନିଧି ଦଳ ଦାବି କରିଛି।

Share