ମାଗଣା ବିଜୁଳି ଗ୍ୟାରେଣ୍ଟିିର କରେଣ୍ଟ ଭାଜପାକୁ ଜୋରରେ ଲାଗିଛି: ବିଜେଡି

ଭୁବନେଶ୍ୱର,୧୬ା୫(ଅନିଲ ଦାସ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶା ଭାଜପା ଭଲ ଭାବେ ଜାଣିସାରିଲାଣି ଯେ ସେମାନେ ଶୋଚନୀୟ ପରାଜୟକୁ ସାମ୍ନା କରୁଛନ୍ତି, ଆଉ ବିଜେଡି ୯୦% ଆସନରେ ବାଜିମାତ୍‌ କରିବାକୁ ଯାଉଛି। ଏହା ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଏଥିପାଇଁ ସେମାନେ ଅଭ୍ୟାସଗତ ଭାବେ ମିଛ କହିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର । ଶଙ୍ଖଭବନଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ମାଗଣା ବିଜୁଳି ସଂକ୍ରାନ୍ତରେ ଆମ ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ଭାବେ କୁହାଯାଇଛି, ୯୦% ଓଡିଶାବାସୀ ଏହି ମାଗଣା ବିଜୁଳି ପାଇବେ। ସାଢେ ୪ କୋଟି ଓଡିଶାବାସୀ ଜାଣିଛନ୍ତି, ନବୀନବାବୁଙ୍କ ଗ୍ୟାରେଣ୍ଟି ସବୁ ଶତ ପ୍ରତିଶତ ପାଳନ ହେବ । ଏହି ମାଗଣା ବିଜୁଳି ଘୋଷଣା ଶୁଣିବା ପରେ ସେମାନଙ୍କ ଶରୀରରେ ଏତେ ଜୋରରେ କରେଣ୍ଟ ଲାଗିଛି ଯେ ସେମାନେ ସମ୍ପୂର୍ଣ୍ଣ ବିଚଳିତ ହୋଇଯାଇଛନ୍ତି ଓ ମନଇଚ୍ଛା କଥା କହିବା ଆରମ୍ଭ କରିଛନ୍ତି।

ବିଜୁଳି ଯୋଗାଣ ସଂକ୍ରାନ୍ତରେ ମଧ୍ୟ ସେମାନଙ୍କର ମିଛ ଧରାପଡିଛି ବୋଲି ସେ କହିଛନ୍ତି। ଭାଜପା ନେତା ସମୀର ମହାନ୍ତିଙ୍କ ପ୍ରତିକ୍ରିୟା ଶୁଣି ଲାଗିଲା, କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରୁଛନ୍ତି ବୋଲି ସେ କହିବାକୁ ଚାହୁଁଛନ୍ତି। ଆମେ ଶୁଣୁଥିଲୁ, ଚଳିତ ନିର୍ବାଚନରେ ଟିକେଟ ମିଳିଲା ନାହିଁ ବୋଲି ସେ ରାଗରେ ଥିଲେ। ଲାଗୁଛି ସେ ଏତେ ରାଗରେ ଅଛନ୍ତି ଯେ, ନିଜ ଦଳର ସରକାର ବିରୋଧରେ ତଦନ୍ତ କରିବାକୁ ଦାବି କରୁଛନ୍ତି। ତଦନ୍ତ ହେଉ, ସବୁ ସତ ପଦାକୁ ଆସିଯିବ।  ମାଗଣା ବିଜୁଳି ପ୍ରତିଶ୍ରୁତି କରେଣ୍ଟ ଏମିତି ଲାଗିଛି ଯେ, ସେ ନିଜେ କଣ କହୁଛନ୍ତି ଜାଣିପାରୁନାହାନ୍ତି। ସେଥିପାଇଁ ନିଜ ସରକାର ବିରୋଧରେ ତଦନ୍ତ ଦାବି କରୁଥିବା ଭୃଗୁ କହିଛନ୍ତି।